ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ କର୍ମୀଙ୍କ ପତ୍ର
ସି.ଡି.ଏମ୍.ଓ.ଙ୍କ ବଦଳରେ ଏସ୍.ପି.ଙ୍କୁ ପ୍ରଶାସନିକ ଦାୟିତ୍ୱ ଦେବାକୁ ଦାବି
ବରଗଡ଼, ୩୧/୦୭: ରାଜ୍ୟର ସରକାରୀ ହସ୍ପିଟାଲମାନଙ୍କରେ ସ୍ବାସ୍ଥ୍ୟସେବାର ମାନ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବରଗଡ଼ର ଜଣେ ସାମାଜିକ କର୍ମୀ ସୁବ୍ରତ କୁମାର ବିର୍ତ୍ତିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ପତ୍ର ଲେଖି ହସ୍ପିଟାଲ ପରିଚାଳନାରେ ପ୍ରଶାସନିକ ସଂସ୍କାର ଆଣିବାକୁ ଦାବି ଜଣାଇଛନ୍ତି।
ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନର ବ୍ୟବସ୍ଥାରେ ସି.ଡି.ଏମ୍.ଓ. (CDMO) ମାନଙ୍କୁ ହସ୍ପିଟାଲର ଚିକିତ୍ସା ସେବା ସହିତ ପ୍ରଶାସନିକ ପରିଚାଳନା ଦାୟିତ୍ୱ ମଧ୍ୟ ଦିଆଯାଉଛି। କିନ୍ତୁ ସେମାନେ ମୂଳତଃ ଜଣେ ଡାକ୍ତର ହୋଇଥିବାରୁ, ପ୍ରଶାସନିକ କାର୍ଯ୍ୟ ଯୋଗୁଁ ରୋଗୀସେବା ଏବଂ ଚିକିତ୍ସା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଏବଂ ଡାକ୍ତରଙ୍କ ଅଭାବ ମଧ୍ୟ ଅନୁଭୂତ ହେଉଛି। ତେଣୁ ହସ୍ପିଟାଲର ପ୍ରଶାସନିକ ପରିଚାଳନା ଦାୟିତ୍ୱ ସି.ଡି.ଏମ୍.ଓ.ଙ୍କ ବଦଳରେ ଏସ୍.ପି. (SP) କିମ୍ବା ଜଣେ ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀଙ୍କୁ ଦିଆଯିବା ପାଇଁ ଦାବି ହୋଇଛି।
ସେହିପରି ଅନେକ ସ୍ଥାନରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ହଇରାଣ ହେଉଥିବା ଅଭିଯୋଗ ଆସୁଛି। ପ୍ରଶାସନିକ କ୍ଷେତ୍ରରେ କଡ଼ା ନିୟନ୍ତ୍ରଣ ରହିଲେ ଏଭଳି ସମସ୍ୟା ହ୍ରାସ ପାଇବ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଅଧିକ ସଚେତନ ଓ ନିର୍ଭୟରେ କାର୍ଯ୍ୟ କରିପାରିବେ ବୋଲି ସାମାଜିକ କର୍ମୀ ଶ୍ରୀ ବିର୍ତ୍ତିଆ ମତବ୍ୟକ୍ତ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଶୃଙ୍ଖଳା ରକ୍ଷା, ଡାକ୍ତରମାନଙ୍କ ସୁରକ୍ଷା ଏବଂ ସଠିକ୍ ରୋଗୀସେବା ସୁନିଶ୍ଚିତ କରିବା ପାଇଁ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।