ଦିବ୍ୟାଙ୍ଗ ଓ ମସ୍ତିଷ୍କ ପକ୍ଷାଘାତଙ୍କ ପାଇଁ ସ୍ୱତନ୍ତ୍ର ସହାୟକ ଉପକରଣ ବଣ୍ଟନ

‘ପ୍ରେରଣା – ଦି ସପୋର୍ଟ ମିଶନ ଆନୁକୂଲ୍ୟରେ ଏବଂ ଏସ୍.ଭି. ନିରତାରର ସହଯୋଗରେ ୧୭ ଜଣ ହିତାଧିକାରୀଙ୍କୁ ଉପକରଣ ବଣ୍ଟନ

କଟକ, ୦୧/୦୮(ଅଜୟ ମହାନ୍ତି): ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଜୀବନଯାପନକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସିଡିଏ ସେକ୍ଟର–୭ସ୍ଥିତ ‘ଆଶ୍ରୟ – ଦି ଶେଲ୍ଟର (Ashraya – The Shelter)’ ଠାରେ ଭିନ୍ନକ୍ଷମ ଓ ମସ୍ତିଷ୍କ ପକ୍ଷାଘାତ (Cerebral Palsy) ପୀଡ଼ିତ ଶିଶୁମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହ୍ୱିଲ୍ ଚେୟାର, କିଟ୍, ରୋଲେଟର ଓ ଅନ୍ୟାନ୍ୟ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ‘ପ୍ରେରଣା – ଦି ସପୋର୍ଟ ମିଶନ (Preranna – The Support Mission)’ ଆନୁକୂଲ୍ୟରେ ଏବଂ ଓଲଟପୁରସ୍ଥିତ ଏସ୍.ଭି. ନିରତାରର ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ହିତାଧିକାରୀଙ୍କୁ ଏହି ଉପକରଣ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ପିଲାଙ୍କ ଆବଶ୍ୟକତା ଅନୁଯାୟୀ ଏଭଳି ସ୍ୱତନ୍ତ୍ର ସହାୟକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଉପକରଣ ବଣ୍ଟନ କରିବା ସହ ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପରିକଳ୍ପନା ଓ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ଅଳ୍ପ ସମୟ ମଧ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଓଲଟପୁରସ୍ଥିତ ଏସ୍.ଭି. ନିରତାର ସହ ସଂବୟ ରକ୍ଷା କରି ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ଉପକରଣ ପ୍ରସ୍ତୁତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ଆଶ୍ରୟ–ଦି ଶେଲ୍ଟରର ସମ୍ପାଦିକା ଶ୍ରୀମତୀ ସୁଜାତା ପଟ୍ଟନାୟକ, ଅଧ୍ୟକ୍ଷା ଡ଼ଃ ସୁଚେତା ଜେନା, ଶ୍ରୀମତୀ ନିବେଦିତା ପାତ୍ର, ଶ୍ରୀମତୀ ଜୟଶ୍ରୀ ସାହୁ ଏବଂ ରମାଦେବୀ ଭିନ୍ନକ୍ଷମ ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ କୁମକୁମ ବୋଷଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।