ଘଡ଼ଘଡ଼ିରେ ଖେଳ ଶିକ୍ଷକଙ୍କ ମୃତ୍ୟୁ

ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା

ଝାରସୁଗୁଡା, ୦୩/୦୮ (ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ବାବୁଛିପିଡିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ପଟେଲ (୫୯)ଙ୍କର ସୋମବାର ଘଡ଼ଘଡ଼ିରେ ଅକାଳ ମୃତ୍ୟୁ ଘଟିଛି । ତାଙ୍କର ଅକାଳ ବିୟୋଗରେ ଶିକ୍ଷକ ମହଲ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ବିଦ୍ୟାଳୟ ପରିସରରେ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ, ସୋମବାର ପ୍ରାୟ ଦିନ ୧୨ଟା ୩୦ ମିନିଟ୍ ସମୟରେ ଶ୍ରୀ ପଟେଲ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ମହୁଲ ଗଛ ତଳେ ଚୌକିରେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିଥିଲା । ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦ ହେବାରୁ ସେ ଚୌକିରୁ ତଳକୁ ପଡ଼ିଯାଇଥିଲେ । ଘଟଣା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ । ତେବେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ଶ୍ରୀ ପଟେଲଙ୍କୁ ମୃତ ଘୋଷଣା କରିଥିଲେ । ଲଇକେରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଶ୍ରୀ ପଟେଲ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଶିକ୍ଷକ ମହଲ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।