ବେଙ୍ଗାଲୁରୁ, ୧୧/୦୮: ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଜଣେ ବ୍ୟକ୍ତି ବୈବାହିକ ଜୀବନରେ କଳହ ଓ ଅସନ୍ତୋଷ ସୃଷ୍ଟି ହେବା ପରେ ନିଜ ଦୁଇ ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।
ପୋଲିସ କହିଛି ଯେ ବୈବାହିକ ବିବାଦକୁ ନେଇ ଏସଜି ଇମ୍ରାନ (୪୦) ନାମକ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କୁ ବେଙ୍ଗାଲୁରୁ ବିମାନବନ୍ଦର ନିକଟବର୍ତ୍ତୀ ଏକ ୫ ଷ୍ଟାର ହୋଟେଲ ରୁମ୍ ଭିତରେ ଗଳାକାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଉକ୍ତ ପରିବାର ଉତ୍ତର ବେଙ୍ଗାଲୁରୁର ନାଗାୱାରାର ବାସିନ୍ଦା ଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରୁଥିଲେ, ଯାହା ପରେ ଏଭଳି କାଣ୍ଡ ଭିଆଇଛନ୍ତି।
ଇମ୍ରାନ ତାଙ୍କ ଦୁଇ ଝିଅଙ୍କୁ ଗଳା କାଟି ହତ୍ୟା କରିଥିଲେ ଏବଂ ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଏକ ଛୁରୀରେ ନିଜ ଗଳା କାଟି ଦେଇଥିଲେ। ଇମ୍ରାନଙ୍କ ଚିତ୍କାର ଶୁଣି ହୋଟେଲ ସୁରକ୍ଷା କର୍ମୀମାନେ ରୁମ୍ ଭିତରକୁ ପ୍ରବେଶ କରି ଇମ୍ରାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ। କର୍ମଚାରୀମାନେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ବିପଦମୁକ୍ତ ଅଛନ୍ତି।
ଡିସିପି ଉତ୍ତର-ପୂର୍ବ ଜିକେ ମିଥୁନ କୁମାର କହିଛନ୍ତି ଯେ ପୋଲିସ ଇମ୍ରାନଙ୍କଠାରୁ ଏକ ନୋଟ୍ ଜବତ କରିଛି ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଥିଲା। ସେ ଅନ୍ୟ ଜଣଙ୍କ ସହିତ ସମ୍ପର୍କରେ ଥିଲେ ବୋଲି ସନ୍ଦେହ କରୁଥିଲେ। ଡିସିପି କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି।