ଦେବଗିରି ଶୈବପୀଠରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆଙ୍କ ସମାଗମ
‘ବୋଲବମ୍’ ନାରାରେ ପ୍ରକମ୍ପିତ ହେଲା କଲ୍ୟାଣ ସିଂହପୁର ଦେବଗିରି ପୀଠ
କଲ୍ୟାଣସିଂହପୁର, ୧୦/୮ (ନରସିଂହ ନାଥ ମହାପାତ୍ର): ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ପ୍ରସିଦ୍ଧ ଦେବଗିରି ଶୈବପୀଠରେ ଅପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ବିଶାଳ ହାତୀ ଆକୃତି ପଥର ନିର୍ମିତ ପାହାଡ଼ ଉପରେ ଥିବା ପ୍ରାକୃତିକ ଗୁମ୍ଫାରେ ବିରାଜମାନ ବାବା ସ୍ବଟିକ ପଞ୍ଚମୁଖେଶ୍ୱରଙ୍କ ଦର୍ଶନ ଏବଂ ଜଳାଭିଷେକ ପାଇଁ ଚଳିତ ସୋମବାରରେ ୧୦ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। “ହର ହର ବମ୍” ଧ୍ୱନିରେ କମ୍ପିଲା ଦେବଗିରି ପୀଠ।ରାତି ପାହିବା କ୍ଷଣି ଶତାଧିକ କାଉଡ଼ିଆ ନିକଟସ୍ଥ ପବିତ୍ର ନାଗାବଳୀ ନଦୀକୂଳରେ ପହଞ୍ଚିଥିଲେ। ନଦୀବାଲିରେ ସୁନ୍ଦର ବାଲୁକା ଶିବଲିଙ୍ଗ ସ୍ଥାପନ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ କଳସରେ ପବିତ୍ର ଜଳ ଉଠାଇଥିଲେ। କାନ୍ଧରେ ଭାର ଏବଂ ମୁଖରେ “ହର ହର ବମ୍” ଓ “ବୋଲବମ୍” ନାରା ଦେଇ ଭକ୍ତମାନେ ନଦୀକୂଳରୁ ପ୍ରାୟ ୨ କିଲୋମିଟର ପଦଯାତ୍ରା କରି ଦେବଗିରି ପୀଠ ଅଭିମୁଖେ ବାହାରିଥିଲେ। ୫୫୪ପାହାଚ ଚଢ଼ି ପାହାଡ଼ ଶିଖରରେ ଥିବା ପ୍ରାକୃତିକ ଗୁମ୍ଫା ମଧ୍ୟରେ ଶିବଲିଙ୍ଗଙ୍କ ଉପରେ ଜଳାଭିଷେକ କରି ସାରା ଅଞ୍ଛଳର ମଙ୍ଗଳ ମନାସିବା ସହ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଚଳିତ ସୋମବାରରେ ବାବା ପଞ୍ଚମୁଖେଶ୍ୱରଙ୍କ ନିକଟରେ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଅଞ୍ଛଳ ବ୍ୟତୀତ ଭୁବନେଶ୍ୱର, ଯାଜପୁର, କଟକ, ବ୍ରହ୍ମପୁର, ଜଗତସିଂହପୁର,କୋରାପୁଟ, ଲକ୍ଷ୍ମୀପୁର,ସୋନପୁର, ବଲାଙ୍ଗୀର, ବରଗଡ଼ ଏବଂ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ହଜାର ହଜାର ଶିବଭକ୍ତ ଆସି ଦେବଗିରି ପୀଠରେ ଜଳାଭିଷେକ କରିଥିଲେ।ଏହି ପବିତ୍ର ଅବସରରେ ଭକ୍ତଙ୍କ ସେବା ଓ ସୁବିଧା ପାଇଁ ସ୍ଥାନୀୟ ‘ପରିଛା ପରିବାର’ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଗତକାଲି ରାତିରୁ କାଉଡ଼ିଆଙ୍କ ପାଇଁ ଚା’ ଓ ଜଳଖିଆ, ସକାଳେ ଟିଫିନ୍ ଏବଂ ମଧ୍ୟାହ୍ନରେ ୩ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।ଦୁର ଦୁରାନ୍ତରୁ ରବିବାର ସନ୍ଧ୍ୟା ରେ କଲ୍ୟାଣସିଂହପୁର ପହଞ୍ଚି ଥିବା ଭକ୍ତ ଙ୍କ ନିମନ୍ତେ ଦେବଗିରି, ଗୁଣ୍ଡିଚା ମନ୍ଦିରରେ ପରିସରରେ ଆଶ୍ରୟ ନେବା ବ୍ୟବସ୍ଥା କରାଯାଇଥିଲା। ସେହିପରି ନାରାୟଣ ପୁର, ସୁଲିପଦର, ସୁନାଖଣ୍ଡି, ପୋଲମା ଓ ପାଇକପଡା, ଅଣ୍ଟାମଡା ଶିବ ମନ୍ଦିରରେ ବି କାଉଡିଆ ଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି।