କିଭ, ୧୦/୦୮: ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭିତରେ କିଭ୍ ଆଜି ସବୁଠାରୁ ଘାତକ ଆକ୍ରମଣ କରିଛି। କେନ୍ଦ୍ରୀୟ ରୁଷିଆ ଅଞ୍ଚଳ ତାଟାରସ୍ତାନରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
କିଭ୍ କହିଛି ଯେ ଏହା ୟୁକ୍ରେନୀୟ ସୀମାଠାରୁ ୧୦୦୦ କିଲୋମିଟର ଦୂରରେ ଥିବା ଇଣ୍ଡଷ୍ଟ୍ରିଆଲ ସହର ନିଜନେକାମସ୍କରେ ଏକ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆହୁରି ୭୫ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରୁଷିଆର ତାତାରସ୍ତାନ ଅଞ୍ଚଳ ଶକ୍ତି ସମ୍ପଦରେ ଭରପୂର ଏବଂ ଏଠାରେ ଅନେକ ପ୍ରମୁଖ ତୈଳ ବିଶୋଧନାଗାର ଅଛି ଯାହାକୁ କିଭ୍ ପ୍ରତିଶୋଧମୂଳକ ଆକ୍ରମଣ କରି ଟାର୍ଗେଟ କରିଆସୁଛି।
ସୋମବାର ଦିନ ରୁଷ ମଧ୍ୟ ୟୁକ୍ରେନ ଉପରେ ଘାତକ ଆକ୍ରମଣ କରିଥିଲା। ସ୍ଥାନୀୟ ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ, ଉତ୍ତର-ପୂର୍ବ ଖାରକିଭ ଅଞ୍ଚଳର ଏକ ଗାଁରେ ରୁଷର ଏକ ଡ୍ରୋନ ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।
ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସେମାନେ ରାତିସାରା ୪୫୬ଟି ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛନ୍ତି। ୟୁକ୍ରେନର ବାୟୁସେନା କହିଛି ଯେ ରୁଷ ରାତାରାତି ଆକ୍ରମଣରେ ୧୨୬ଟି ଡ୍ରୋନ୍ ମାଡ଼ କରିଛି।
ଅନ୍ୟପଟେ ୟୁକ୍ରେନର ଦକ୍ଷିଣ ଓଡେସା ଅଞ୍ଚଳରେ, ଗତ ସପ୍ତାହରେ ରୁଷିଆ ବିଦ୍ୟୁତ୍ ଗ୍ରୀଡ୍ ଉପରେ ଆକ୍ରମଣ କରିବା ଫଳରେ ହଜାର ହଜାର ପରିବାର ବିନା ବିଜୁଳିରେ ଥିଲେ।