ଟୁଇଟ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିରୋଧୀ ଦଳ ନେତା: ବିରଂଚି ନାରାୟଣ ତ୍ରିପାଠୀ
ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ବିଜେପି ସାଂସଦ, ବିଧାୟକ, ବିଜେପି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ସଭିଏଁ ବିଭିନ୍ନ ଅଚଂଳ ଗସ୍ତ କରି ବନ୍ୟାସ୍ଥିତି ସମୀକ୍ଷା କରୁଛନ୍ତି
ବନ୍ୟା ବେଳେ ନବୀନଙ୍କ ଗ୍ରାଉଣ୍ଡ ଭିଜିଟ୍କୁ ନେଇ ବର୍ଷିଲେ ବିରଂଚି ତ୍ରିପାଠୀ
ଭୁବନେଶ୍ୱର, ୧୪/୦୮: ଲଗାଣ ବର୍ଷା କାରଣରୁ ଓଡ଼ିଶାର ଅନେକ ଜିଲ୍ଲାରେ ଏକାଧିକବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ସରକାର ଅତ୍ୟନ୍ତ ଦକ୍ଷତାର ସହ ତାର ମୁକାବିଲା ଓ ପରିଚାଳନା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ବିଜେପିର ସମସ୍ତ ସାଂସଦ, ବିଧାୟକ, ବିଜେପି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ସଭିଏଁ ବିଭିନ୍ନ ଅଚଂଳ ଗସ୍ତ କରି ବନ୍ୟାସ୍ଥିତି ସମୀକ୍ଷା କରୁଛନ୍ତି । ସେସବୁ ଅଂଚଳରେ କିପରି ଲୋକଙ୍କ ପାଖରେ ସରକାରୀ ସୁବିଧା ପଂହଚିବ, ଲୋକମାନେ କେଉଁ ପ୍ରକାର ଭାବେ ସୁରକ୍ଷିତ ରହିବେ ସେସମସ୍ତ ବ୍ୟବସ୍ଥା ଅତ୍ୟନ୍ତ ଦକ୍ଷତାର ସହ ସରକାର ଏବଂ ସଂଗଠନ ତରଫରୁ କରାଯାଉଛି । କିନ୍ତୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ବସି କିଛି ଅନୁଧ୍ୟାନ ନ କରି କେବଳ ଟୁଇଟ୍ କରୁଛନ୍ତି ବୋଲି ପ୍ରେସ୍ବାର୍ତାରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜାଣିବା ଦରକାର ଯେ, କେବଳ ଟୁଇଟ୍ କଲେ ତାଙ୍କର କାମ ସରିବ ନାହିଁ । ଓଡ଼ିଶାବାସୀ ସବୁ ଦେଖୁଛନ୍ତି । ଓଡ଼ିଶାବାସୀ ଦୀର୍ଘ ସମୟ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ଏବଂ ଆଜିି ମଧ୍ୟ ବିରୋଧି ଦଳର ନେତା ଆସନରେ ବସାଇଛନ୍ତି । ବିରୋଧୀ ଦଳର ନେତା ହିସାବରେ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ନୈତିକ ଦାୟିତ୍ୱ ହେଉଛି ଲୋକଙ୍କ ପାଖରେ ପହଂଚିବା ଓ ସେମାନଙ୍କ ସୁବିଧା ଅସୁବିଧାରେ ଠିଆହେବା, ଯଦି କୌଣସି ସମସ୍ୟା ରହିଛି ତାକୁ ସୁଧାରିବାକୁ ଚେଷ୍ଟା କରିବା । ମାତ୍ର ଲୋକଙ୍କ ସମସ୍ୟାକୁ ସେ ଗୁରୁତ୍ୱ ଦେଉନାହାନ୍ତି । ଚଳିତ ବର୍ଷ ଓଡ଼ିଶାରେ ବାରମ୍ବାର ବନ୍ୟା ଆସିଲା ପରେ ମଧ୍ୟ ଦିନେ ହେଲେ ସେ ଘରୁ ବାହାରି ନାହାନ୍ତି, କୌଣସି ବନ୍ୟା ପ୍ଲାବିତ ଅଂଚଳକୁ ଗସ୍ତ କରିନାହାନ୍ତି । କୁଆଡ଼େ ନ ଯାଇ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ନ ହୋଇ କେବଳ ଟୁଇଟ୍ କରି ଯଦି କାମ ସାରିଦେବେ ଭାବୁଛନ୍ତି ତାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ । ଓଡ଼ିଶାବାସୀ ଅତ୍ୟନ୍ତ ସଚେତନ । ବିରୋଧୀ ଦଳ ନେତାଙ୍କ ଏପ୍ରକାର ମାନସିକତାକୁ ସମସ୍ତେ ଭଲ ଭାବେ ବୁଝିସାରିଲେଣି । ବନ୍ୟା ସମୟରେ ଘରୁ ନ ବାହାରି ଗଣମାଧ୍ୟମରେ ବାର୍ତା ଦେଇ ଓ ଟୁଇଟ୍ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାହା ସବୁ ଜାଣିସାରିଲେଣି । ତାଙ୍କର ଏପ୍ରକାର ଅପଚେଷ୍ଟା କେବେ ସଫଳ ହେବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।