ଭୁବନେଶ୍ୱର, ୧୭/୦୮: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ତତ୍ପର ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ। ଏହି ଗସ୍ତ ସମୟରେ ସେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଲୋକଙ୍କ ସ୍ଥିତି ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ।
ବିଶେଷ କରି ଲଗାଣ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଉଭୟ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତାଙ୍କୁ ଅବଗତ କରାଯିବ। ପ୍ରଭାବିତ ଲୋକଙ୍କୁ ରିଲିଫ୍, ଖାଦ୍ୟ, ପାନୀୟ ଜଳ ଏବଂ ଆବଶ୍ୟକ ସହାୟତା ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।