ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ପ୍ରସ୍ତୁତି- ସମନ୍ୱୟ ଓ ତ୍ୱରିତ ପଦକ୍ଷେପକୁ ଗୁରୁତ୍ୱ
ଶିଳ୍ପ ବିକାଶ ସହିତ ସୁରକ୍ଷା ସଂପର୍କିତ ମାର୍ଗଦର୍ଶିକା ଅନୁପାଳନକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ପୂର୍ବ ପ୍ରସ୍ତୁତି ସହ ଜନସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା: ଅନୁ ଗର୍ଗ
ଭୁବନେଶ୍ୱର, ୦୭/୧୦: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ, ପ୍ରସ୍ତୁତି, ତ୍ୱରିତ ମୁକାବିଲା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ନେଇ ଲୋକସେବା ଭବନଠାରେ ରାଜ୍ୟ ସଙ୍କଟ ଗୋଷ୍ଠୀ (ଷ୍ଟେଟ କ୍ରାଇସେସ ଗ୍ରୁପ୍)ର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାସାୟନିକ ଦୁର୍ଘଟଣା ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବ ପ୍ରସ୍ତୁତି, ତ୍ୱରିତ ପ୍ରତିକ୍ରିୟା ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମାନ ଗୁରୁତ୍ୱ ରହିଛି । ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ଜିଲ୍ଲା ଓ ସ୍ଥାନୀୟସ୍ତରର ଜରୁରୀକାଳୀନ ଯୋଜନା, ନିୟମିତ ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍ ଓ ତଥ୍ୟଭିତ୍ତିକ ଆକଳନକୁ ଅଧିକ ପ୍ରଭାବଶାଳୀ କରାଯିବା ଆବଶ୍ୟକ । ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ରଖି ଜରୁରୀ ପରିସ୍ଥିତିରେ ତ୍ୱରିତ ଓ ସଫଳ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ବିଭାଗୀୟ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ଏକ ସମନ୍ୱିତ ବ୍ୟବସ୍ଥା ଅଧୀନରେ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ବିପଦ ସମ୍ପର୍କିତ ତଥ୍ୟର ନିୟମିତ ଯାଞ୍ଚ, ଜିଲ୍ଲାରେ ଶିଳ୍ପ ସଂସ୍ଥା ବା କାରଖାନା ଠାରୁ ଦୂରରେ ଦ୍ରବ୍ୟ ପରିବହନ କରୁଥିବା ଯାନ ବା ସେଭଳି କ୍ଷେତ୍ରରେ ଦୁର୍ଘଟଣା ଘଟିଲେ ଅଫ୍-ସାଇଟ୍ ଜରୁରୀକାଳୀନ ଯୋଜନାର ସମୀକ୍ଷା, ଜିଆଇଏସ ଆଧାରିତ ମ୍ୟାପିଂ ଏବଂ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିକୁ ଅଧିକ ମଜବୁତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ, ଜିଲ୍ଲା, ଶିଳ୍ପ ସଂସ୍ଥା ଓ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଓ ପରସ୍ପର ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ରାସାୟନିକ ଦୁର୍ଘଟଣା ସମୟରେ ତ୍ୱରିତ ପ୍ରତିକ୍ରିୟା ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳ, ଆବଶ୍ୟକ ଉପକରଣ ଓ ବିଶେଷ ଜରୁରୀକାଳୀନ ଯାନର ଉପଲବ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ । ଭାରି ଯାନ, ଜରୁରୀ କାଳୀନ ସେବା ଯାନ, ନିୟମିତ ମକ୍ ଡ୍ରିଲ୍, ଉଦ୍ଧାର ଓ ନିରାପଦ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ସହ ଅଗ୍ନିଶମ ସେବା, ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥା ମଧ୍ୟରେ ଯୁଗ୍ମ ଅଭ୍ୟାସ ଓ ସମନ୍ୱୟ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ରାସାୟନିକ ଦୁର୍ଘଟଣା ସମ୍ପର୍କିତ ତଥ୍ୟଭଣ୍ଡାର ସୁଦୃଢ଼ୀକରଣ, ମେଡିକାଲ୍ ପ୍ରସ୍ତୁତି, ଜନସଚେତନତା, ସୁରକ୍ଷା ଅଡିଟ୍, ସେଫ୍ଟି ରିପୋର୍ଟ ଏବଂ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର କ୍ଷମତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ରାସାୟନିକ ଦୁର୍ଘଟଣାର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିରୋଧ, ପ୍ରତିକାରାତ୍ମକ ବ୍ୟବସ୍ଥା, ପ୍ରସ୍ତୁତି, ତ୍ୱରିତ ପ୍ରତିକ୍ରିୟା ଓ ଜନସହଭାଗିତାକୁ ଆଧାର କରି ଏକ ସୁଦୃଢ଼ ଓ ସମନ୍ୱିତ ବ୍ୟବସ୍ଥା ଗଠନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ଏଥିପାଇଁ ରହିଥିବା ମାର୍ଗଦର୍ଶିକାର ଅନୁପାଳନ ଓ ପରାମର୍ଶ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସଚିବ, ଶ୍ରମ ଆୟୁକ୍ତ, ଓଡ଼ିଶା ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।