ପାତ୍ରପୁର, ୦୭/୧୦ (ସୁରେଶ କୁମାର ପଟ୍ଟନାୟକ): ପ୍ରଶାସନକୁ ବାରମ୍ବାର ସୂଚନା ଦିଆଗଲା। ଅସହାୟ ଓ ନିରାଶ୍ରୟ ବୃଦ୍ଧାଙ୍କୁ ଥଇଥାନ କରିବାକୁ ଦାବି ହେଲା। କିନ୍ତୁ ହେୟଗ୍ୟାନ କରିଲା ପାତ୍ରପୁର ବ୍ଳକ, ତହସିଲ ପ୍ରଶାସନ। ଶେଷରେ ନିରବି ଗଲା ଗୋଟିଏ ଅସହାୟ ନିଃସହାୟ ବିଧବା ବୃଦ୍ଧାଙ୍କ ଜୀବନ। ଏଇଥିରୁ ପାତ୍ରପୁର ବ୍ଳକ, ତହସିଲ ପ୍ରଶାସନ ର ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାୟ ୨୩ ଦିନର ଅଭିଯୋଗ ଅନୁସାରେ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଗଲା ନାହିଁ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାୟ ୭୦ ବର୍ଷୀୟ ଅସହାୟ ବୃଦ୍ଧାଙ୍କ ଜୀବନ ଦୀପ ଲିଭିଯାଇଛି। ଏହି ଘଟଣାକୁ ନେଇ ପ୍ରଶାସନର ମାନବିକତା ଓ ଦାୟିତ୍ୱବୋଧ ନେଇ ପ୍ରଶ୍ନ ଉଠିଛି। ଘଟଣାଟି ଚିକିଟି ବ୍ଲକ କଳବାଡ ପଞ୍ଚାୟତ ଅନ୍ତର୍ଗତ ଖରଖରିଆ ଗ୍ରାମର। ମୃତ ବୃଦ୍ଧା ଜଣକ ହେଲେ ଯମୁନା ବିଷୋୟୀ (୭୦)। ସୂଚନା ଅନୁସାରେ ଗତ ଗଣେଶ ଚତୁର୍ଥୀ ଦିନ ଯମୁନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ନିଜର କୌଣସି ସମ୍ପର୍କୀୟ ନଥିବାରୁ ଗ୍ରାମବାସୀ ତୁରନ୍ତ ୧୧୨କୁ ଫୋନ୍ କରି ଜଣାଇଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରାଯାଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗ୍ରାମବାସୀଙ୍କ କହିବାନୁଯାୟୀ ଯମୁନା ଦୀର୍ଘଦିନ ଧରି ଖରଖରିଆ ଗ୍ରାମରେ ରହୁଥିଲେ। ତାଙ୍କର ନିକଟ ସମ୍ପର୍କୀୟ କେହି ନଥିବାରୁ ଗ୍ରାମବାସୀଙ୍କ ସହଯୋଗରେ ଏ ପିଣ୍ଢା ରୁ ସେ ପିଣ୍ଢା ବୁଲି ବୁଲି ଜୀବନ ବିତାଉଥିଲେ। ଅସୁସ୍ଥ ହେବା ପରେ ଗ୍ରାମବାସୀ ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ଅଭିଯୋଗ ହେଉଛି ବୃଦ୍ଧାଙ୍କ ଅବସ୍ଥା ସମ୍ପର୍କରେ ଚିକିଟି ତହସିଲଦାର ଓ ପାତ୍ରପୁର ତହସିଲଦାର,ବିଡିଓଙ୍କ ସମେତ ବ୍ଲକ ପ୍ରଶାସନର ବିଭିନ୍ନ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଜଣାଇ ଦିଆଯାଇଥିଲା। ତାଙ୍କୁ ଉଦ୍ଧାର କରି କୌଣସି ବୃଦ୍ଧାଶ୍ରମ କିମ୍ବା ସୁରକ୍ଷିତ ସ୍ଥାନରେ ଥଇଥାନ କରିବାକୁ ମଧ୍ୟ ଦାବି ହୋଇଥିଲା। ହେଲେ ଅଭିଯୋଗ ଅନୁସାରେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା।
ପରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୨୩ ଦିନ ଧରି ଚିକିତ୍ସାଧୀନ ରହିବା ପରେ ବୁଧବାର ଅପରାହ୍ନରେ ଯମୁନାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିବା ଜଣାପଡ଼ିଛି। ଚିକିତ୍ସା ସମୟରେ ମଧ୍ୟ କୌଣସି ସମ୍ପର୍କୀୟ ତାଙ୍କ ପାଖରେ ପହଞ୍ଚି ନଥିବା ଜଣାପଡ଼ିଛି। ପାତ୍ରପୁର ଗ୍ରାମର ଚାରି ପାଞ୍ଚ ଜଣ ଯୁବକ ସୁରେଶ କୁମାର ପଟ୍ଟନାୟକ, ତୋଫାନ ଅଧିକାରୀ, ବିଶ୍ଵନାଥ ମହାନ୍ତି, ସ୍ବାଧିନ ମହାନ୍ତି,ଦିପକ କୁମାର ବାଡତ୍ୟା,କିରଣ ଅଧିକାରୀ, ପ୍ରସାଦ ଅଧିକାରୀ ଙ୍କ ପ୍ରୟାସ ରେ ପାତ୍ରପୁର ଗ୍ରାମ ଶ୍ମଶାନରେ ଶବ ସତ୍କାର କରିବାର ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା।ଯଦି ପ୍ରଶାସନ ସମୟ ଥାଉ ଥାଉ ଦୃଷ୍ଟି ଦେଇ ତାଙ୍କୁ ଉଦ୍ଧାର କରି କୌଣସି ବୃଦ୍ଧାଶ୍ରମରେ ଥଇଥାନ କରିଥାନ୍ତା, ତେବେ ହୁଏତ ଏଭଳି ଅସହାୟ ଅବସ୍ଥାରେ ତାଙ୍କ ଜୀବନ ହାରିବାକୁ ପଡ଼ିନଥାନ୍ତା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। ଘଟଣାଟି ପ୍ରଶାସନର ଅସହାୟ , ନିରାଶ୍ରୟ ବୃଦ୍ଧବୃଦ୍ଧା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଦାୟିତ୍ୱ ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି। ଶେଷରେ କୈଣସି ପ୍ରଶାସନ ବ୍ଳକ, ତହସିଲ, ପୋଲିସ ମଧ୍ୟ ପହଞ୍ଚିଲେନି ମେଡିକାଲ ରେ ଏଥିପାଇଁ ବିଭିନ୍ନ ମହଲ ରେ ଚର୍ଚ୍ଚର ବିଷୟ ପାଲଟିଛି।