କିଟ୍‍ ରେ କଳିଙ୍ଗ ଗ୍ଲୋବାଲ୍ ଫଟୋଗ୍ରାଫି ଫେଷ୍ଟିଭାଲ୍ ଉଦ୍‍ଘାଟିତ

ଫଟୋଗ୍ରାଫି ସମୟ ଓ ସ୍ମୃତିକୁ ସାଇତି ରଖିବାରେ ଏକ ଶକ୍ତିଶାଳୀ ମାଧ୍ୟମ

ଭୁବନେଶ୍ୱର, ୧୮/୦୮: ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ କିଟ୍ ସ୍କୁଲ୍ ଅଫ୍ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସ ପକ୍ଷରୁ କଳିଙ୍ଗ ଗ୍ଲୋବାଲ୍ ଫଟୋଗ୍ରାଫି ଫେଷ୍ଟିଭାଲ୍ ୨୦୨୬ ଆଜି ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଛାତ୍ରଛାତ୍ରୀ ଓ ଯୁବ ଫଟୋଗ୍ରାଫରମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ସେ କହିଲେ, ଫଟୋଗ୍ରାଫି କେବଳ ଏକ କଳା ନୁହେଁ, ବରଂ ସମୟ ଓ ସ୍ମୃତିକୁ ସାଇତି ରଖିବାରେ ଏକ ଶକ୍ତିଶାଳୀ ମାଧ୍ୟମ । ସମୟକୁ କେହି ବାନ୍ଧି ରଖିପାରନ୍ତି ନାହିଁ, କିନ୍ତୁ ଫଟୋଗ୍ରାଫରମାନେ ନିଜ କ୍ୟାମେରା ମାଧ୍ୟମରେ ସମୟକୁ ସ୍ମୃତି କରି ରଖିପାରନ୍ତି ବୋଲି ସେ କହିଥିଲେ ।କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ, ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରୟାସ ଓ ସଂଘର୍ଷ ଯୋଗୁଁ କିଟ୍ ଆଜି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯୁବପିଢ଼ିଙ୍କୁ ସମ୍ବୋଧିତ କରି ସେ କହିଲେ, ବର୍ତ୍ତମାନ ହେଉଛି ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତାର ଯୁଗ । ଦେଶ ଓ ରାଜ୍ୟର ବିକାଶ ପାଇଁ ଯୁବଶକ୍ତିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିର ସଦୁପଯୋଗ କରିବାକୁ ହେବ । ବିକଶିତ ଓଡ଼ିଶା–୨୦୩୬ ଓ ବିକଶିତ ଭାରତ–୨୦୪୭ର ସ୍ୱପ୍ନ ସାକାର କରିବାରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଲେ, ଆଜିର ଗୋଟିଏ ଫଟୋ କାଲିର ଇତିହାସ । ଶବ୍ଦଠୁ ଅଧିକ ବୁଝିପାରିଲା ଭଳି ଫଟୋ ଉତ୍ତୋଳନ ହେଉଛି ପ୍ରକୃତ ଫଟୋଗ୍ରାଫି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଠାରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଓ ଭଲ ମଣିଷଭାବେ ଗଢ଼ି ତୋଳିବାର ଏକ ସୁନ୍ଦର ପ୍ରୟାସ କରିଛନ୍ତି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, ମହାନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିଟ୍ ମିଡ଼ିଆ ସ୍କୁଲ, ଫେସନ ଟେକ୍ନୋଲୋଜି ଓ ଫିଲ୍ମ ସ୍କୁଲ ଡିନ୍ ଡ. ରାଜୀବ କୁମାର ପଣ୍ଡା, ମହୋତ୍ସବ ଆବାହକ ପ୍ରଫେସର ସୁଶାନ୍ତ ବାହିନୀପତିଙ୍କ ସମେତ ଅନେକ ଅଭିଜ୍ଞ ଫଟୋଗ୍ରାଫର, ଫିଲ୍ମ ନିର୍ମାତା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।