ଦଶପଲ୍ଲା, ୦୬/୧୦: ଦଶପଲ୍ଲା ଥାନା ଅନ୍ତର୍ଗତ ପୋଖରୀଗୋଛା ସନ୍ନିକଟ ବ୍ରିଜ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳାସଖମଣ ବନ୍ଧସାହିର ଜଗତ ନାୟକଙ୍କ ୧୯ ବର୍ଷୀୟ ପୁଅ ସିଦ୍ଧାନ୍ତ ନାୟକ, ଅଫିସର ନାୟକଙ୍କ ପୁଅ ରିତେନ ନାୟକ ଓ କୁମର ନାୟକଙ୍କ ପୁଅ ପିଙ୍କୁ ନାୟକ ଏକ ବାଇକ୍ରେ ଯାଉଥିଲେ। ତେବେ ପୋଖରୀଗୋଛା ନିକଟରେ ବାଇକ୍ଟି ହଠାତ୍ ଭାରସାମ୍ୟ ହରାଇ ବ୍ରିଜ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଛିଟିକି ପଡିଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସିଦ୍ଧାନ୍ତ ନାଏକଙ୍କୁ ମୃତ ଘୋଷଣା କରିଥିଲେ। ରିତେନ ଓ ପିଙ୍କୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।