ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

‘ଉଭୟ ଖେଳାଳି ସାରା ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ’

ଭୁବନେଶ୍ୱର, ୦୬/୧୦: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ ପହଞ୍ଚିବା ପରେ, ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡିୟମ୍‌ଠାରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଖେଳାଳିମାନଙ୍କ ସହ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସେମାନେ ଓଡ଼ିଶାର ଗୌରବ ଏବଂ ସାରା ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଐତିହାସିକ ସଫଳତା ପାଇଁ ସେ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ବିଭାଗୀୟ ଅଧିକାରୀ ଏବଂ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।