ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ପରବର୍ତ୍ତୀ ବାୟୁସେନା ମୁଖ୍ୟ
ଅପରେସନ ‘ସଫେଦ ସାଗର’, ‘ରକ୍ଷକ’, ଅପରେସନ ସିନ୍ଦୂରରେ ସାମିଲ୍ ଥିଲେ
ନୂଆଦିଲ୍ଲୀ, ୦୬/୧୦: ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କୁ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ବା ‘ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍’ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ବାୟୁସେନାର ଭାଇସ୍ ଚିଫ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅକ୍ଟୋବର ୩୧ ତାରିଖ ଅପରାହ୍ନରୁ ସେ ଏୟାର ଚିଫ୍ ମାର୍ଶଲ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ।
ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ହେବେ। ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ଅକ୍ଟୋବର ୩୧ରେ ଅବସର ନେବା ପରେ ଦୀକ୍ଷିତ ତାଙ୍କ ସ୍ଥାନ ନେବେ।
ଆଶୁତୋଷ ଦୀକ୍ଷିତଙ୍କର ବାୟୁସେନାରେ ପ୍ରାୟ ୪ ଦଶନ୍ଧିର ଲମ୍ବା କ୍ୟାରିଅର ରହିଛି। ୧୯୮୬ ମସିହା ଡିସେମ୍ବର ୬ରେ ସେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ୍ରେ କମିଶନ ହୋଇଥିଲେ। ଦୀର୍ଘ ସାମରିକ କ୍ୟାରିଅର ମଧ୍ୟରେ ସେ ଅପରେସନାଲ, ଟ୍ରେନିଂ, ଟେଷ୍ଟିଂ ଓ ଉଚ୍ଚସ୍ତରୀୟ କମାଣ୍ଡ ଦାୟିତ୍ୱ ତୁଲାଇଛନ୍ତି।
ସେ ଜଣେ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଓ କ୍ୱାଲିଫାଏଡ୍ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର। ତାଙ୍କର ୩,୫୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ମିରାଜ-୨୦୦୦, ବିଭିନ୍ନ ମିଗ୍ ବିମାନ, HPT-32, AN-32, ଅଭ୍ରୋ, କିରଣ, ଜାଗୁଆର, IL-78, ହକ୍ ଓ ତେଜସ୍ ଭଳି ବିଭିନ୍ନ ବିମାନ ଉଡ଼ାଇବାର ଅଭିଜ୍ଞତା ତାଙ୍କର ରହିଛି।
ଦୀକ୍ଷିତଙ୍କ ସାମରିକ କ୍ୟାରିଅରରେ ଅନେକ ପ୍ରମୁଖ ଅପରେସନ ଓ ସାମରିକ ଅଭ୍ୟାସର ଅଭିଜ୍ଞତା ରହିଛି। ଅପରେସନ ସଫେଦ ସାଗର, ଅପରେସନ ରକ୍ଷକ, କୋପ୍-ଇଣ୍ଡିଆ ଏବଂ ଅପରେସନ ସିନ୍ଦୂର ସହ ସେ ଜଡ଼ିତ ଥିଲେ।
ବାୟୁସେନାରେ ସେ ନଂ-୯ ସ୍କ୍ୱାଡ୍ରନକୁ ମିରାଜ-୨୦୦୦ରେ ପୁନଃସଜ୍ଜିତ କରିବା ସମୟରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ୱ ନେଇଥିଲେ। ଏହା ସହ ପଶ୍ଚିମ ସେକ୍ଟରର ଏକ ଫ୍ରଣ୍ଟଲାଇନ୍ ଫାଇଟର ବେସ୍ ଏବଂ ଦକ୍ଷିଣ ସେକ୍ଟରର ଏକ ପ୍ରମୁଖ ଫାଇଟର ଟ୍ରେନିଂ ବେସ୍ର କମାଣ୍ଡ ମଧ୍ୟ ସମ୍ଭାଳିଛନ୍ତି।
ଆଶୁତୋଷ ଦୀକ୍ଷିତ କେବଳ ଫାଇଟର ପାଇଲଟ୍ ଭାବେ ନୁହେଁ, ବାୟୁସେନାର ପ୍ରଶାସନିକ ଓ ରଣନୈତିକ ନିଷ୍ପତ୍ତି ନେବାରେ ମଧ୍ୟ ଦୀର୍ଘ ଅଭିଜ୍ଞତା ହାସଲ କରିଛନ୍ତି। ସେ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଏବଂ ପରେ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ (CISC) ଭାବେ କାମ କରିଛନ୍ତି। ୨୦୨୬ ଜୁଲାଇ ୧ରୁ ସେ ବାୟୁସେନାର ଭାଇସ୍ ଚିଫ୍ ଭାବେ ଦାୟିତ୍ୱ ନେଇଥିଲେ।
ସେ ନ୍ୟାସନାଲ୍ ଡିଫେନ୍ସ ଏକାଡେମି, ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ୍ ଏବଂ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ପୂର୍ବତନ ଛାତ୍ର। ତାଙ୍କର ଦୀର୍ଘ ସାମରିକ ସେବାକୁ ସ୍ୱୀକୃତି ଦେଇ ତାଙ୍କୁ ବାୟୁସେନା ପଦକ, ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ୨୦୨୬ରେ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି।