ଓଡ଼ିଶାରେ ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର୍ ମିଟ୍
ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମ୍ରେ ବସିବ କ୍ରୀଡ଼ାର ମହାକୁମ୍ଭ
ଭୁବନେଶ୍ୱର, ୨୦/୦୮: ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ୨୨, ୨୦୨୬ରେ ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରତିଷ୍ଠିତ ‘ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର୍ ମିଟ୍’ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥ୍ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଏବଂ ବିଶ୍ୱ ଆଥ୍ଲେଟିକ୍ସର ମିଳିତ ସହଯୋଗରେ ଏହି ଏକଦିବସୀୟ ପ୍ରତିଯୋଗିତା ପରିଚାଳିତ ହେଉଛି। ଗତବର୍ଷର ସଫଳ ବ୍ରୋଞ୍ଜ-ସ୍ତରୀୟ ପ୍ରତିଯୋଗିତାଠାରୁ ଏହାକୁ ସିଲ୍ଭର୍-ସ୍ତରକୁ ଉନ୍ନତ କରାଯାଇଛି। ଏହାଛଡ଼ା, ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର୍ ଚାମ୍ପିଅନ୍ସିପ୍ ଏବଂ ଏସୀୟ ଇଣ୍ଡୋର୍ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିଶ୍ୱ କ୍ରୀଡ଼ା ହବ୍ କରିବାର ସ୍ୱପ୍ନକୁ ସାକାର କରୁଛି।
ଏହି ପ୍ରତିଯୋଗିତାରେ ୨୭ଟି ଦେଶରୁ ମୋଟ ୧୮୭ ଜଣ ପ୍ରତିଷ୍ଠିତ ଆଥ୍ଲେଟ୍ ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରେ ୧୨ଟି ଏସୀୟ ଦେଶର ୧୪୩ ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଅଛନ୍ତି। ସ୍ଥାନୀୟ ଦର୍ଶକମାନେ ଘରୋଇ ମାଟିରେ ୮୮ ଜଣ ଭାରତୀୟ ଏବଂ ୯୯ ଜଣ ଆନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ପାଇବେ। ମୁଖ୍ୟ ଆନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାରୁ ୨୪, ଦକ୍ଷିଣ ଆଫ୍ରିକାରୁ ୧୭ ଏବଂ ବ୍ରାଜିଲରୁ ୧୧ ଜଣ ଆଥ୍ଲେଟ୍ ଯୋଗ ଦେଉଛନ୍ତି।
ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ ମୋଟ ୧୮ଟି ଇଭେଣ୍ଟ ରହିଛି। ପୁରୁଷ ବିଭାଗରେ ୧୦୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୧୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟ୍ ପୁଟ୍ ଏବଂ ଜାଭେଲିନ୍ ଥ୍ରୋ ରହିଥିବାବେଳେ; ମହିଳା ବିଭାଗରେ ୧୦୦ ମିଟର, ୪୦୦ ମିଟର, ୧୫୦୦ ମିଟର, ୧୦୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ଜାଭେଲିନ୍ ଥ୍ରୋ ଏବଂ ଡିସକସ୍ ଥ୍ରୋ ଅନୁଷ୍ଠିତ ହେବ। ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ବିଶ୍ୱ ମାନ୍ୟତା ପଏଣ୍ଟ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ, ଯେଉଁଥିରେ ପ୍ରଥମ ସ୍ଥାନ ପାଇଁ ୧,୬୦୦ ଡଲାର, ଦ୍ୱିତୀୟ ପାଇଁ ୧,୨୦୦ ଡଲାର ଏବଂ ତୃତୀୟ ପାଇଁ ୯୦୦ ଡଲାର ପୁରସ୍କାର ରହିଛି।
କ୍ରୀଡ଼ାମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ହୋଇଥିବା ଘୋଷଣା ଅନୁଯାୟୀ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଓଡ଼ିଶାର ଖେଳାଳିମାନେ ହେଲେ ଅନୀମେଶ କୁଜୁର (୧୦୦ ମିଟର), ସ୍ୱାଧୀନ କୁମାର ମାଝୀ (ହାଇ ଜମ୍ପ), କିଶୋର ଜେନା (ଜାଭେଲିନ୍), ବାପି ହାଂସଦା (୪୦୦ ମିଟର), ଶ୍ରାବଣୀ ନନ୍ଦ (୧୦୦ ମିଟର) ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ (୧୦୦ ମିଟର)।
ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଗତବର୍ଷର ସଫଳ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତା ପରେ ଏବେ ସିଲ୍ଭର୍ ଲେଭଲ୍ ଆୟୋଜନ କରିବାକୁ ନେଇ ସମସ୍ତେ ଉତ୍ସାହିତ। ଏହି ପ୍ରତିଯୋଗିତାର ପୁରସ୍କାର ରାଶି ଏହାର ଗୁରୁତ୍ୱକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତ ଆଥ୍ଲେଟ୍ଙ୍କ ପାଇଁ ରାଜ୍ୟପାଳଙ୍କ ଉପସ୍ଥିତିରେ ଏକ ସ୍ୱାଗତ ଭୋଜିର ବ୍ୟବସ୍ଥା କରାଯାଇଛି ଏବଂ ପ୍ରତିଯୋଗିତା ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଶାର ଖେଳାଳିମାନେ ପୂର୍ବରୁ ଗୌରବ ଆଣିଥିଲେ ଏବଂ ବିଶ୍ୱ ଆଥ୍ଲେଟିକ୍ସ ନିୟମ ଅନୁଯାୟୀ ଆମେ ଆମର ଖେଳାଳିମାନଙ୍କୁ ୬-୮ ବିଶ୍ୱ ମାନ୍ୟତା ମଧ୍ୟରେ ରଖିବାକୁ ସୁଯୋଗ ଦେଉଛୁ, ଯାହାଫଳରେ ଅଧିକରୁ ଅଧିକ ଭାରତୀୟ ଏବଂ ଓଡ଼ିଶାର ପିଲାମାନେ ଅଂଶଗ୍ରହଣ କରିପାରିବେ।
ଏହି ଅବସରରେ ଏଏଫ୍ଆଇ ଚେୟାରମ୍ୟାନ୍ ଡ. ଲଳିତ କୁମାର ଭାନୋଟ କହିଛନ୍ତି ଯେ, ଏହା ଏକ ଅନନ୍ୟ ପ୍ରତିଯୋଗିତା ଯେଉଁଥିରେ ଦୁଇଟି ଫାଇନାଲ୍ ଏବଂ ଭାରତୀୟ ଆଥ୍ଲେଟ୍ଙ୍କ ପାଇଁ ଅଧିକ ସୁଯୋଗ ରହିଛି। ଅତିକମ୍ରେ ୩ଟି ଦେଶର ପ୍ରତିଯୋଗୀ ଭାଗ ନେବା କଥା, କିନ୍ତୁ ଏଠାରେ ଅନେକ ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଗ୍ଲାସ୍ଗୋର ଆଥ୍ଲେଟ୍ ଏବଂ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୫୦ ମଧ୍ୟରେ ଥିବା ଖେଳାଳିମାନେ ଏଠାକୁ ଆସିଛନ୍ତି। ନିୟମ ଅନୁଯାୟୀ ୫୦ ପ୍ରତିଶତ ବିଦେଶୀ ଆଥ୍ଲେଟ୍ ରହିବା କଥା ଏବଂ ସେହି ଅନୁଯାୟୀ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶା ସରକାରଙ୍କ ସହଯୋଗ ଅତୁଳନୀୟ। ୨୦୧୭ ମସିହାରୁ ଏଠାରେ ବହୁ ପ୍ରତିଯୋଗିତା ହୋଇଆସୁଛି ଏବଂ ସାରା ଭାରତରେ କେବଳ କଳିଙ୍ଗ ଷ୍ଟାଡିୟମ୍ରେ ହିଁ ଇଣ୍ଡୋର୍ ଟ୍ରାକ୍ ରହିଛି।
କେରଳର ବିଶ୍ୱ ମାନ୍ୟତା ୧୫ ପ୍ରାପ୍ତ ଲଙ୍ଗ ଜମ୍ପ ଆଥ୍ଲେଟ୍ ଶ୍ରୀଶଙ୍କର ନିଜର ମତ ରଖି କହିଛନ୍ତି ଯେ, ଏହା ସିଲ୍ଭର୍ ରୁ ଗୋଲ୍ଡ ମେଡାଲ୍ ଆଡ଼କୁ ଆଗେଇବାର ଏକ ବଡ଼ ସୁଯୋଗ। ପରବର୍ତ୍ତୀ ବଡ଼ ମ୍ୟାଚ୍ ପୂର୍ବରୁ ଏହି ପ୍ରତିଯୋଗିତା ଏକ ଭଲ ପିଟ୍-ଷ୍ଟପ୍ ସାଜିବ। କଳିଙ୍ଗ ଷ୍ଟାଡିୟମ୍ରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିବାରୁ ଏହା ତାଙ୍କର ପ୍ରିୟ ଷ୍ଟାଡିୟମ୍। ଅନ୍ୟପଟେ କେରଳର ଅନ୍ୟଜଣେ ଲଙ୍ଗ ଜମ୍ପ ଆଥ୍ଲେଟ୍ ଆନସି ସୋଜାନ୍ ଏଡାପିଲି (ବିଶ୍ୱ ମାନ୍ୟତା ୪୧) କହିଛନ୍ତି ଯେ, ବିଶ୍ୱସ୍ତରୀୟ ଆଥ୍ଲେଟ୍ଙ୍କ ସହିତ ଖେଳିବା ଏକ ବଡ଼ ସୁଯୋଗ ଏବଂ ଏହା ଏସୀୟ ଗେମ୍ସ ପାଇଁ ଆମର ପ୍ରସ୍ତୁତି ଓ ତାଲିମର ଏକ ଅଂଶବିଶେଷ।
ବିଦେଶୀ ଆଥ୍ଲେଟ୍ମାନଙ୍କ ମଧ୍ୟରେ ବ୍ରାଜିଲର ୧୦୦ ମିଟର ହର୍ଡଲ୍ସ ଆଥ୍ଲେଟ୍ ଭିଟୋରିଆ ଆଲଭେସ୍ (ବିଶ୍ୱ ମାନ୍ୟତା ୨୨) ଟ୍ରାକ୍ର ପ୍ରଶଂସା କରିବା ସହ ଆଗାମୀ ଦକ୍ଷିଣ ଆମେରିକୀୟ ଗେମ୍ସ ପାଇଁ ଏହି ଇଭେଣ୍ଟ ଏକ ଶ୍ରେଷ୍ଠ ପ୍ରସ୍ତୁତି ହେବ ବୋଲି ପ୍ରକାଶ କରିଛନ୍ତି। ସେହିପରି ନାଇଜେରିଆର ସଟ୍ ପୁଟ୍ ଆଥ୍ଲେଟ୍ ଚୁକ୍ୱୁଏବୁକା ଏନେକୱେଚି (ବିଶ୍ୱ ମାନ୍ୟତା ୯) ପ୍ରଥମ ଥର ଭାରତ ଆସି ଏଠାକାର ଅଭ୍ୟାସ ସୁବିଧାକୁ ପ୍ରଶଂସା କରିଛନ୍ତି ଏବଂ ଗରମ ପାଗ ସତ୍ତ୍ୱେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଅଗଷ୍ଟ ୨୨ ତାରିଖରେ ଏହି ବିରାଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଏଏଫ୍ଆଇ କୋଷାଧ୍ୟକ୍ଷ ଶ୍ରୀ ବି. ଷ୍ଟାନଲେ ଜୋନ୍ସ ଏବଂ ଏଏଫ୍ଆଇ କାର୍ଯ୍ୟକାରୀ ସଚିବ ଶ୍ରୀ ଜି. ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।