ସଟ୍‌ଗନ୍ ସୁଟିଂରେ ବିଜୟଙ୍କ ଚମକ

୫୮ତମ ପଶ୍ଚିମବଙ୍ଗ ରାଜ୍ୟ ଚାମ୍ପିଅନସିପ୍‌ରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୪ ପଦକ

ଡବଲ ଟ୍ରାପ୍‌ ଦଳଗତରେ ସ୍ୱର୍ଣ୍ଣ, ସିଙ୍ଗଲ ଟ୍ରାପ୍‌ ଦଳଗତରେ ରୌପ୍ୟ; ବ୍ୟକ୍ତିଗତ ବର୍ଗରେ ଦୁଇ ବ୍ରୋଞ୍ଜ

ରାୟଗଡ଼ା, ୦୫/୧୦(ଦକ୍ଷ ବାଥ୍ରା): ଲକ୍ଷ୍ୟଭେଦରେ ଚମକ ଦେଖାଇ ଓଡ଼ିଶାର ଅଭିଜ୍ଞ ସୁଟର ବିଜୟ କିଶୋର ପଟ୍ଟନାୟକ ଗୌରବ ଆଣିଛନ୍ତି। ଖଡ଼ଗପୁର ଆଇଆଇଟି ହେଲିପ୍ୟାଡ୍ ପଡ଼ିଆରେ ଅନୁଷ୍ଠିତ ୫୮ତମ ପଶ୍ଚିମବଙ୍ଗ ରାଜ୍ୟ ସଟ୍‌ଗନ୍ ସୁଟିଂ ଚାମ୍ପିଅନସିପ୍‌-୨୦୨୬ରେ ବିଜୟ ଏକାକୀ ୪ଟି ପଦକ ହାସଲ କରିଛନ୍ତି। ନ୍ୟାସନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRAI)ର ନିୟମାବଳୀ ଅନୁଯାୟୀ ଆୟୋଜିତ ଏହି ପ୍ରତିଯୋଗିତାରେ ତାଙ୍କର ଏହି ସଫଳତା କ୍ରୀଡ଼ା ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ ଯାଏଁ ଚାଲିଥିବା ପାଞ୍ଚଦିନିଆ ଚାମ୍ପିଅନସିପ୍‌ରେ ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଭାବାନ ସୁଟର ଅଂଶଗ୍ରହଣ କରିଥିଲେ। ଏଥିରେ ସିଙ୍ଗଲ ଟ୍ରାପ୍ ଓ ଡବଲ ଟ୍ରାପ୍ ବର୍ଗରେ ବିଜୟ ନିଜର ଦକ୍ଷତା ଓ ନିଖୁଣ ଲକ୍ଷ୍ୟଭେଦ ପ୍ରଦର୍ଶନ କରି ପଦକ ଜିତିଛନ୍ତି।

ବିଜୟଙ୍କ ପଦକ ତାଲିକା *ଡବଲ ଟ୍ରାପ୍‌ (ଦଳଗତ) – ସ୍ୱର୍ଣ୍ଣ ପଦକ

* ସିଙ୍ଗଲ ଟ୍ରାପ୍‌ (ଦଳଗତ) – ରୌପ୍ୟ ପଦକ

* ସିଙ୍ଗଲ ଟ୍ରାପ୍‌ (ବ୍ୟକ୍ତିଗତ) – ବ୍ରୋଞ୍ଜ ପଦକ

* ଡବଲ ଟ୍ରାପ୍‌ (ବ୍ୟକ୍ତିଗତ) – ବ୍ରୋଞ୍ଜ ପଦକ

ଚାମ୍ପିଅନସିପ୍‌ର ଉଦ୍‌ଯାପନୀ ସମାରୋହରେ ବିଜୟ କିଶୋରଙ୍କ ସମେତ କୃତୀ ପ୍ରତିଯୋଗୀମାନଙ୍କୁ ପଦକ ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। NRAI ଜୁରୀ ଜଜ୍ ବି.ଜି. ମଲ୍ଲିକ ଓ NRAI ଉପ-ସଭାପତି ଢାଲ ସାହେବଙ୍କ ସମେତ ଅନ୍ୟ ଅତିଥିମାନେ ଏହି ସମାରୋହରେ ଉପସ୍ଥିତ ଥିଲେ।

ସଫଳତା ପରେ ପ୍ରତିକ୍ରିୟା ଦେଇ ବିଜୟ କିଶୋର କହିଛନ୍ତି, “୪ଟି ପଦକ ଜିତିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହା ମୋର କଠିନ ପରିଶ୍ରମ ଓ ନିୟମିତ ଅଭ୍ୟାସର ଫଳ। ଆଗାମୀ ଜାତୀୟ ଚାମ୍ପିଅନସିପ୍ ପାଇଁ ଏହି ସଫଳତା ମୋ ମନୋବଳକୁ ଆହୁରି ବଢ଼ାଇବ।”ଉଲ୍ଲେଖଯୋଗ୍ୟ, ଏହି ଚାମ୍ପିଅନସିପ୍‌ରେ ସଫଳ ପ୍ରତିଯୋଗୀମାନେ ଆଗାମୀ ଜାତୀୟ ସଟ୍‌ଗନ୍ ସୁଟିଂ ଚାମ୍ପିଅନସିପ୍‌ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ବିଜୟଙ୍କ ଏହି ଚମତ୍କାର ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।ବିଜୟଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ, ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ସୁବିଧା ଯୋଗାଇଦେବାକୁ କ୍ରୀଡ଼ାପ୍ରେମୀମାନେ ଦାବି କରିଛନ୍ତି। ଏହି ସଫଳତା ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀମାନେ ମତ ଦେଇଛନ୍ତି।