ଭୁବନେଶ୍ୱର, ୦୫/୧୦: ଭୁବନେଶ୍ୱରର ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ମୁଖ୍ୟ ସମ୍ପାଦିକା ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱରେ ସାହିତ୍ୟ ପତ୍ରିକା “ବିଭାବନା”ର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଓଡ଼ିଶାର ଖଦି ଓ ଗ୍ରାମଦ୍ୟୋଗ ଉପ ସଚିବ ତଥା ସୁସାହିତ୍ୟିକ ଶ୍ରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୂଜା ସମୟରେ ବିଶିଷ୍ଟ ଲେଖକମାନଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଥାଏ ଯାହା ଓଡ଼ିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଥାଏ ବୋଲି କହିଥିଲେ | ବିଭାବନା ସେହିଭଳି ବରେଣ୍ୟ ଲେଖକ, ପାଠକ ଓ ପ୍ରକାଶକଙ୍କୁ ଏକତ୍ରିତ କରିବାର ସାଧୁ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ | ଢେଙ୍କାନାଳର ଅଧ୍ୟାପିକା ମଞ୍ଜୁଲିକା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ସମୟରେ ସମାଜ ନିର୍ମାଣରେ ପତ୍ରପତ୍ରିକାର ଭୂମିକା ବେଶ ଗୁରୁତ୍ୱପୂର୍ଣ ଓ ବିଭାବନାର ସମ୍ପାଦକ ମାନସ ନନ୍ଦ ଏ ଗୁରୁ ଦାୟିତ୍ୱ ନିଖୁଣ ଭାବେ ତୁଲାଇଛନ୍ତି ବୋଲି ମତ ରଖିଥିଲେ | ନୟାଗଡ଼ ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ ଓ ଯାଜପୁରର ସୁସାହିତ୍ୟିକ ଭୁବନମୋହନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ | ଏହି ଅବସରରେ ବିଭାବନାର ପୂଜା ସଂଖ୍ୟା ବ୍ୟତୀତ ଲେଖକ କୁଞ୍ଜ ବିହାରୀ ପଟ୍ଟନାୟକଙ୍କ ଉପନ୍ୟାସ ‘ଯିଏ ଯାହାର’, ତୁଳସୀରାଣୀ ବେହେରାଙ୍କ କାବ୍ୟ ‘କୃଷ୍ଣ୍ନା’ ଉନ୍ମୋଚିତ ହୋଇଥିଲା ବେଳେ ବିପ୍ରବର ପଣ୍ଡାଙ୍କ ‘ ମଧୁଝରା’ ଓ ଫୁଲବାଣୀର କୈଳାସ ଚନ୍ଦ୍ର ଧଳଙ୍କ ସମ୍ପାଦିତ ଶିଶୁ ପତ୍ରିକା ‘ଫୁଲରାଣୀ’ ଲୋକାର୍ପିତ ହୋଇଥିଲା | ନୟାଗଡ଼ର ନୁଜହତ ତରନୁମ, ଯାଜପୁରର ଶ୍ରୀ ଜିତେନ୍ଦ୍ର କୁମାର ବେହେରା ଓ ନାରାୟଣ ଚନ୍ଦ୍ର ଦାସଙ୍କୁ ବିଭାବନା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | ଫୁଲରାଣୀର ସମ୍ପାଦକ କୈଳାସ ଚନ୍ଦ୍ର ଧଳ ମଞ୍ଚ ପରିଚାଳନା କରିଥିଲା ବେଳେ, ବିଭାବାନର ସମ୍ପାଦକ ମାନସ କୁମାର ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ପ୍ରଥମ ଅଧିବେଶନରେ ନୀଳିମା ନନ୍ଦଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀତମ ଦେହୁରୀ ଏବଂ ମାନସୀ କରଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠରେ ଅନ୍ୟୁନ୍ୟ 60 ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ | ଏଥିରେ ବନବିହାରୀ ନନ୍ଦ ଓ ପ୍ରଭାତ କୁମାର ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ | ସାହିତ୍ୟିକ ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ |
Next Post