କଥା ଦେଇ କଥା ରଖିଲେ ଲୋକଙ୍କ ସରକାର

୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ, ରାଜଧାନୀ କଲେଜରେ ଛାତ୍ରଛାତ୍ରୀଙ୍କ ଉତ୍ସବ

ଭୁବନେଶ୍ୱର, ୦୫/୧୦: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ପୁଣିଥରେ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ଓ ଉଲ୍ଲାସ। ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ପୁନଃ ସକ୍ରିୟ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଛାତ୍ରମହଲରେ ମତ ପ୍ରକାଶ ପାଇଛି।

‘କଥା ଦେଇ କଥା ରଖିଛନ୍ତି ଲୋକଙ୍କ ସରକାର’ ବୋଲି ନାରା ଦେଇ ରାଜଧାନୀ କଲେଜ ପରିସରରେ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିବା ସହ ସେଲିବ୍ରେସନ କରିଛନ୍ତି। ଦୀର୍ଘଦିନ ପରେ ନିଜ ପ୍ରତିନିଧି ବାଛିବାର ସୁଯୋଗ ମିଳିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି।

ଛାତ୍ର ସଂସଦ ନିର୍ବାଚନ କେବଳ ନେତୃତ୍ୱ ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ମତ ପ୍ରକାଶର ସ୍ୱାଧୀନତା ଓ ନେତୃତ୍ୱ ବିକାଶର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ଏହି ନିର୍ବାଚନ ମାଧ୍ୟମରେ କଲେଜର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ମୌଳିକ ଆବଶ୍ୟକତା ଓ ଶିକ୍ଷା ପରିବେଶର ଉନ୍ନତି ପାଇଁ ନୂଆ ନେତୃତ୍ୱ ଆଗକୁ ଆସିବ ବୋଲି ଆଶା ପ୍ରକାଶ ପାଇଛି।

ରାଜଧାନୀ କଲେଜର ଛାତ୍ରଛାତ୍ରୀମାନେ ଏହି ଐତିହାସିକ ମୁହୂର୍ତ୍ତକୁ ଉତ୍ସାହର ସହ ପାଳନ କରିବା ସହ “ଆମ କଲେଜ, ଆମ ଗୌରବ; ଛାତ୍ରଛାତ୍ରୀଙ୍କ ହିତ, ଆମର ସଙ୍କଳ୍ପ” ବାର୍ତ୍ତା ଦେଇଛନ୍ତି।

ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଫେରିବା ଘଟଣା ରାଜଧାନୀ କଲେଜ ସମେତ ସମଗ୍ର ଛାତ୍ର ସମାଜରେ ନୂଆ ଗଣତାନ୍ତ୍ରିକ ଅଧ୍ୟାୟର ଶୁଭାରମ୍ଭ କରିଛି।

ଉଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜଧାନୀ ମହାବିଦ୍ୟାଳୟ ରେ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି ।ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଐତିହାସିକ ନିଷ୍ପତ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମଗ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜ ପକ୍ଷରୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି ।ରାଜଧାନୀ କଲେଜ ରେ ଛାତ୍ର ଛାତ୍ରୀ ବାଣ ଫୁଟେଇ ମିଠା ବଣ୍ଟନ କରି ସେଲିବ୍ରେସନ କରିଥିଲେ।

ଏହି ଅବସରେ ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି ରଜତ କୁମାର ପରିଡ଼ା କହିଛନ୍ତି ଯେ ଗତ ନଅ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିବା ଦ୍ୱାରା କ୍ୟାମ୍ପସଗୁଡ଼ିକରେ ନେତୃତ୍ୱ ବିକାଶର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଚଳିତ ବର୍ଷର ନିର୍ବାଚନ ଦ୍ୱାରା ଛାତ୍ରମାନଙ୍କର ଗଣତାନ୍ତ୍ରିକ ଚେତନା ଜାଗ୍ରତ ହେବ, କ୍ୟାମ୍ପସଗୁଡ଼ିକରେ ପାଠପଢ଼ା ସହ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ଏବଂ ଛାତ୍ର ନେତୃତ୍ୱର ସୃଷ୍ଟି ହୋଇପାରିବ । ଦୀର୍ଘ ବର୍ଷ ପରେ ଓଡିଶାର ଛାତ୍ରଛ୍ରାୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ମିଳିଛି । କଥା ଦେଇ କଥା ରଖିବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଗତ ଦିନରେ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଛାତ୍ରସଂସଦ ନିର୍ବାଚନ ପୁନଃ ପ୍ରତିଷ୍ଠା କରିବା ପାଇଁ ସେ ଦେଇଥିବା କଥାକୁ ଆଜି ସାକାର କରିଛନ୍ତି । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା ହେଲା।