ପିଏମଏୱାଇ-ୟୁ ୨.୦ ରେ ଓଡ଼ିଶାର ଅଗ୍ରଣୀ ସଫଳତା
ସର୍ବାଧିକ ସଂସ୍କାର ପାଇଁ ପିଏମଏୱାଇ-ଅର୍ବାନ୍ ଆୱାର୍ଡସ୍ ୨୦୨୬ରେ ବିଶେଷ ସମ୍ମାନ
ଭୁବନେଶ୍ୱର, ୦୫/୧୦: ବିଶ୍ୱ ଆବାସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) (PMAY-U) ଅଧୀନରେ ଆବାସ କ୍ଷେତ୍ରରେ ଆଣିଥିବା ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ବିଶେଷ ସ୍ୱୀକୃତି ମିଳିଛି। ଭାରତ ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ PMAY-Urban Awards 2026 ଅଧୀନରେ PMAY-U 2.0ରେ ସର୍ବାଧିକ ସଂସ୍କାର ସାଧନ କରିଥିବା ରାଜ୍ୟ ଭାବେ ଓଡ଼ିଶାକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଏହି ମାନ୍ୟତା ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ସହରାଞ୍ଚଳ ଆବାସ କ୍ଷେତ୍ରରେ ସଂସ୍କାରକୁ ସୁଦୃଢ଼ କରିବା ସହ ଆବାସ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। PMAY-U 2.0 ଅଧୀନରେ ସର୍ବାଧିକ ସଂସ୍କାର ସାଧନ କରିବା ଏକ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଜନକୈନ୍ଦ୍ରିକ ଆବାସ ବ୍ୟବସ୍ଥା ଗଠନ ଦିଗରେ ସାମୂହିକ ପ୍ରୟାସର ପରିଣାମ। ‘ସମସ୍ତଙ୍କ ପାଇଁ ଆବାସ’ର ଲକ୍ଷ୍ୟକୁ ଆଗେଇ ନେବା ସହ ପ୍ରତ୍ୟେକ ଯୋଗ୍ୟ ସହରାଞ୍ଚଳ ପରିବାରକୁ ସମ୍ମାନଜନକ ଓ ସୁରକ୍ଷିତ ଆବାସ ସୁଯୋଗ ଯୋଗାଇବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।”
ସହରାଞ୍ଚଳ ଆବାସ କ୍ଷେତ୍ରରେ ଅନୁଷ୍ଠାନିକ ସଂସ୍କାର ସହ ଦ୍ରୁତ କାର୍ଯ୍ୟାନ୍ୱୟନକୁ ଏକାଠି ଆଗେଇ ନେଇ ଓଡ଼ିଶା ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି। PMAY-U 2.0 ଅଧୀନରେ ରାଜ୍ୟରେ ୨୪,୬୨୫ଟି ଘରକୁ ମଞ୍ଜୁରୀ ମିଳିଛି। ଏଥିସହିତ, ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଘର ନିର୍ମାଣ ସମାପ୍ତ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଏହି ସଫଳତା ଏକ ବୃହତ୍ତର ଜାତୀୟ ଆବାସ ମିଶନର ଅଂଶ। ଓଡ଼ିଶାରେ ଆବାସ କ୍ଷେତ୍ରରେ କରାଯାଇଥିବା ସଂସ୍କାର ଓ ପଦକ୍ଷେପ ରାଜ୍ୟର ବିଭିନ୍ନ ସହର ଓ ନଗରର ପରିବାରଗୁଡ଼ିକ ପାଇଁ ସମ୍ମାନଜନକ ଆବାସ ସୁନିଶ୍ଚିତ କରିବା ସହ ଜାତୀୟ ଲକ୍ଷ୍ୟକୁ ତୃଣମୂଳସ୍ତରରେ ସାକାର କରିବାରେ ସହାୟକ ହେଉଛି।
ରାଜ୍ୟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚଞ୍ଚଳ ରାଣା ଏବଂ ଓଡ଼ିଶା ସହରାଞ୍ଚଳ ଆବାସ ମିଶନର ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।
ଏହି ସମ୍ମାନ ରାଜ୍ୟର ସମସ୍ତ ଅଧିକାରୀ, ପୌରସଂସ୍ଥା ଏବଂ ହିତାଧିକାରୀ ପରିବାରଙ୍କ ସାମୂହିକ ପ୍ରୟାସର ସ୍ୱୀକୃତି। ସୁରକ୍ଷିତ ଓ ସମ୍ମାନଜନକ ଆବାସରୁ କୌଣସି ଯୋଗ୍ୟ ସହରାଞ୍ଚଳ ପରିବାର ବଞ୍ଚିତ ନ ହେବା—ଏହି ଲକ୍ଷ୍ୟ ନେଇ ଓଡ଼ିଶା ଏହି ଅଗ୍ରଗତିକୁ ଆହୁରି ଦୃଢ଼ତାର ସହ ଆଗେଇ ନେଉଛି।