ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

୮୮ ବର୍ଷ ବୟସରେ ଆଖିବୁଜିଲେ

ଭୁବନେଶ୍ୱର, ୨୧/୦୮: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ। ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଦୀର୍ଘଦିନ ଧରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ସୁମଧୁର କଣ୍ଠରୁ ସେ ଅନେକ କାଳଜୟୀ ଗୀତ ଓଡ଼ିଆ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି।

‘ରୂପସୀ ରାଣୀ ଗୋ ମୋର’ ଓ ‘ଏମିତି ରାତି ସେ ଯେ ଅଭୁଲା ସ୍ମୃତି’ ଭଳି ଲୋକପ୍ରିୟ ଗୀତ ତାଙ୍କ ସଙ୍ଗୀତ ଜୀବନର ଅମର ସୃଷ୍ଟି ଭାବେ ଆଜି ବି ଶ୍ରୋତାଙ୍କ ମନରେ ରହିଛି।

ସଙ୍ଗୀତ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପ୍ରଣବ ପଟ୍ଟନାୟକଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଓଡ଼ିଆ ସଙ୍ଗୀତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ।