ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନବୀନ
‘ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ପ୍ରଣବଙ୍କ ଅବଦାନ ଚିର ସ୍ମରଣୀୟ’
ଭୁବନେଶ୍ୱର, ୨୧/୦୮: ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଜି ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। “ଓଡ଼ିଆ ସଙ୍ଗୀତ ଜଗତର ଅଭୁଲା ସ୍ୱର, ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ସୁମଧୁର ଗାୟନ ଶୈଳୀ ଅନେକ ଓଡ଼ିଆ ସଙ୍ଗୀତକୁ ଲୋକଙ୍କ ହୃଦୟରେ କାଳଜୟୀ କରିଛି। ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଅମର ଆତ୍ମାର ସଦଗତି କାମନା କରୁଛି।”