ଶ୍ରୀବଳଦେବଜୀଉଙ୍କ ପାଇଁ ଶ୍ରୀକ୍ଷେତ୍ରରୁ ରାକ୍ଷୀ ପଠାଇବେ ଭଉଣୀ ସୁଭଦ୍ରା
ଦୀର୍ଘ ୨୨ ବର୍ଷ ଧରି ଆୟୋଜିତ ହେଉଛି ରାକ୍ଷୀ ଯାତ୍ରା
ଭୁବନେଶ୍ଵର, ୨୧/୦୮: ଶ୍ରୀକ୍ଷେତ୍ରରୁ ମାଆ ସୁଭଦ୍ରାଙ୍କ ରାକ୍ଷୀ ତୁଳସୀ କ୍ଷେତ୍ର ବଡଭାଇ ବଳିଆରଭୁଜ ରେବତିକାନ୍ତ ବଳଦେବଜୀଉଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି I ଶ୍ରୀଜଗନ୍ନାଥ ପାଟସେବା ବିକାଶପରିଷଦ ନୂଆବଜାର ପୋତାପୋଖରୀ, କଟକ, ହାଇଟେକ୍ ଗ୍ରୁପ୍ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମାଆ ସୁଭଦ୍ରାଙ୍କ ବାଡଗ୍ରାହୀ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ଏବଂ ଜଗନ୍ନାଥ ପାଟସେବା ବିକାଶ ପରିଷଦର ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ସାହୁ ଏକ ପ୍ରେସବାର୍ତ୍ତାରେ କହିଛନ୍ତି ଯେ, ଆସନ୍ତା ୨୩ତାରିଖ ଦିନ ୧ଟା ୩୦ମିନଟ ସମୟରେ ହାଇଟେକ୍ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଏବଂ ହିମାଂଶୁ କୁମାର ସାହୁ ପୁରୀ ଗୋବଦ୍ଧନପୀଠ ଶଙ୍କରାଚାର୍ଯ୍ୟଙ୍କ ପାଖରେ ପହଞ୍ଚି ସେଠାରୁ ପବିତ୍ର ରାକ୍ଷୀ ଗ୍ରହଣ କରିବା ସହ, ୪ଟା ୧୫ମିନଟ ସମୟରେ ହାଇଟେକ୍ ମେଡିକାଲ୍ ସମ୍ମୁଖସ୍ଥ ଗଣେଶ ମନ୍ଦିରରେ ପହଞ୍ଚିବେ I ଏହାପରେ ଯାତ୍ରା କରି ପ୍ରତାପ ନଗରୀସ୍ଥିତ ଢାକୁଲେଇ ପୀଠରେ ରାତ୍ରୀଯାପନ କରିବା ସହ, ପରଦିନ ସକାଳ ୯ଟା ସମୟରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଓ ସୁରେଶ ପାଣିଗ୍ରାହୀ ଉଭୟ ଏକ ସୁସଜ୍ଜିତ ରଥରେ ଢାକୁଲେଇ ପୀଠରୁ ଯାତ୍ରା ଶୁଭାରମ୍ଭ କରି ନୂଆବଜାର ପାଟସେବା ବିକାଶ ପରିଷଦରେ ଦିବା ୧୦ ଘଣ୍ଟା ସମୟରେ ପହଞ୍ଚିବେ I ଶିଖରପୁର ଛକରେ ଏହି ଭବ୍ୟ ଶୋଭାଯାତ୍ରାକୁ ହଜାର ହଜାର ଶ୍ରଦ୍ଧାଳୁ ସମ୍ଭଦ୍ଧନା ପ୍ରଦାନ କରିବା ପରେ, ଦିନ ୧୨ଟା ୩୦ରେ କେନ୍ଦ୍ରାପଡାସ୍ଥିତ ବଡ଼ଭାଇ ଶ୍ରୀବଳଦେବଜୀଉ ମନ୍ଦିରରେ ରାକ୍ଷୀ
ପ୍ରଦାନ କରାଯିବ I ଏହି ରାକ୍ଷୀଯାତ୍ରା ଦୀର୍ଘ ୨୨ବର୍ଷ ଧରି ଆୟୋଜନ ହୋଇ ଆସୁଅଛି ଏବଂ ପୁରୀରୁ କେନ୍ଦ୍ରାପଡା ଏହି ଆଧ୍ୟାତ୍ମିକ ଯାତ୍ରାକୁ ଲକ୍ଷାଧିକ ଲୋକ ଦର୍ଶନ କରିବେ ବୋଲି ହାଇଟେକ୍ ଗ୍ରୁପ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଏବଂ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି I