ଏସ୍‌ଆଇଆରକୁ ନେଇ ବିରୋଧୀଙ୍କ ମେଳି, ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହେଲା ବିଜେଡ଼ି

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜୋରଦାର ବିକ୍ଷୋଭ

ଭୁବନେଶ୍ୱର, ୦୬/୧୦: ଏସ୍‌ଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ, ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଆଜି ଦିଲ୍ଲୀରେ ବିରୋଧୀ ଦଳ ପ୍ରତିବାଦ ପଦଯାତ୍ରା ହୋଇଛି। ଏଥିରେ ସାମିଲ ହୋଇଛନ୍ତି ବିଜେଡ଼ି ସାଂସଦମାନେ। ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେଇଛନ୍ତି।

ଏହି ପ୍ରତିବାଦ ଶୋଭାଯାତ୍ରା ନେଇ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ ଏସ୍‌ଆଇଆର ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ପୂର୍ବରୁ ଦାବି କରିଛନ୍ତି। ଏସ୍‌ଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ସହ ସାରା ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ବ ମତଦାତାଙ୍କୁ ବାଦ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବା ବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି। ବିଏଲ୍‌ଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟିଦିଆଯିବା ଏସ୍‌ଆଇଆର୍‌ ଜାଲିଆତିକୁ ସ୍ପଷ୍ଟ କରିଦେଇଛି। କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ଅନେକ ଦିଗକୁ ଇଙ୍ଗିତ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଆର୍‌ରେ ଫର୍ମ-୬ ପରିବର୍ତ୍ତନ ନେଇ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଦେଶକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ ଖଣ୍ଡନ କରି ଏପରି ନିର୍ଦ୍ଦେଶ ଦିଆଯାଇ ନ ଥିବା କହିବା ପରେ ସିଇସି ଜ୍ଞାନେଶ କୁମାର ଭୋଟର ତାଲିକାରେ ଜାଲିଆତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ସ୍ପଷ୍ଟ। ବିଜେଡି ଉଭୟ ଇଣ୍ଡିଆ ମେଣ୍ଟ ଓ ଏନ୍‌ଡିଏଠାରୁ ସମଦୂରତ୍ୱ ବଜାୟ ରଖିଛି। ତେବେ ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜେଡି ଆଜି କାର୍ଯ୍ୟକ୍ରମରେ ସାମିଲ ହୋଇଛି।