ସିଲିକନ ୟୁନିଭର୍ସିଟିର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ
ସ୍ନାତକମାନଙ୍କୁ ଧାରଣାକୁ ଉଦ୍ୟୋଗରେ ପରିଣତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର, ୨୨/୦୮: ନିଜ ଧାରଣା ଓ ଜ୍ଞାନକୁ ଉଦ୍ୟୋଗରେ ପରିଣତ କରି ସମାଜର ବାସ୍ତବ ସମସ୍ୟାର ସମାଧାନ କରିବାକୁ ସିଲିକନ୍ ୟୁନିଭର୍ସିଟିର ସ୍ନାତକମାନଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I
ଶନିବାର ଦିନ ଭୁବନେଶ୍ୱରସ୍ଥିତ ସିଲିକନ ୟୁନିଭର୍ସିଟିର ତୃତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି I
ଏହି ସମାରୋହରେ ଉଦବୋଧନ ଦେଇ ସ୍ନାତକମାନଙ୍କୁ ବିକାଶଶୀଳ ପ୍ରଯୁକ୍ତିକୁ ଉପଯୋଗ କରି ସ୍ୱଚ୍ଛ ଶକ୍ତି ଓ ପରିବେଶ କ୍ଷେତ୍ରରେ ଜୀବିକା, ଗବେଷଣା ଓ ଉଦ୍ୟୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ I
ରାଜ୍ୟପାଳ ପୁଣି କହିଥିଲେ ଯେ ଶକ୍ତି ସଂରକ୍ଷଣ, ସ୍ମାର୍ଟ ଗ୍ରିଡ୍, ଗ୍ରୀନ୍ ହାଇଡ୍ରୋଜେନ୍, ଇଲେକ୍ଟ୍ରିକ୍ ଗତିଶୀଳତା, ଶକ୍ତି ଦକ୍ଷତା ଓ ସ୍ଥାୟୀ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକ ଯୁବ ଵୃତ୍ତୀଧାରୀଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି କରିଛି।
ଜଳବାୟୁ ପରିବର୍ତ୍ତନ, ପରିବେଶ ଅବକ୍ଷୟ ଓ ବର୍ଦ୍ଧିତ ଶକ୍ତି ଚାହିଦା ମଧ୍ୟରେ ନବୀକରଣୀୟ ଶକ୍ତିର ଗୁରୁତ୍ୱ ବୃଦ୍ଧି ପାଇଥିବା କଥା ରାଜ୍ୟପାଳ ଉଲ୍ଲେଖ କରିବା ସହିତ ପଶ୍ଚିମ ଏସିଆର ଅସ୍ଥିରତା ଶକ୍ତି ସୁରକ୍ଷା, ଆର୍ଥିକ ସ୍ଥିରତା ଓ ବିଶ୍ୱ ଶାନ୍ତି ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଉଜାଗର କରିଥିବା କଥା ମଧ୍ୟ କହିଥିଲେ।
ରାଜ୍ୟପାଳ କହିଥିଲେ ଯେ ଭାରତ ଧୀରେ ଧୀରେ ସ୍ୱଚ୍ଛ ଶକ୍ତି ଉତ୍ସ ଆଡ଼କୁ ଆଗେଇ ଚାଲିଛି। ସୌର ଶକ୍ତି, ପବନ, ଜଳବିଦ୍ୟୁତ୍, ଜୈବ ଶକ୍ତି, ଭୂତାପ ଓ ସମୁଦ୍ର ଶକ୍ତି ଏକବିଂଶ ଶତାବ୍ଦୀକୁ ଆକାର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ଛାତ୍ରଛାତ୍ରୀମାନଙ୍କୁ ଦ୍ରୁତ ପ୍ରାଯୁକ୍ତିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟପାଳ କହିବା ସହିତ କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଲର୍ଣ୍ଣିଙ୍ଗ, ସେମିକଣ୍ଡକ୍ଟର, ସାଇବର ସୁରକ୍ଷା, ରୋବୋଟିକ୍ସ, ଉନ୍ନତ ଇଲେକ୍ଟ୍ରୋନିକ୍ସ, ଡାଟା ସାଇନ୍ସ ଓ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ନୂତନ ସୀମା ଖୋଲିଛି ବୋଲି ସୂଚାଇ ଦେଇଥିଲେ। ନିରନ୍ତର ଶିକ୍ଷା, ଉଦ୍ଭାବନ ଓ ବିଭିନ୍ନ ବିଷୟରେ କାମ କରିବାର କ୍ଷମତା ଆଗାମୀ ଦିନର ନେତୃତ୍ୱମାନଙ୍କୁ ଗଢ଼ିବ ବୋଲି ମଧ୍ୟ କହିଥିଲେ।
କେବଳ ପରିବର୍ତ୍ତନକୁ ଖାପ ଖୁଆଇବା ନୁହଁ ବରଂ କୌତୂହଳ ସହିତ ଏହାକୁ ଗ୍ରହଣ କରିବା, ଉଦ୍ଭାବନ ସହିତ ଏହାକୁ ଆକାର ଦେବା ଏବଂ ବିଜ୍ଞତା ସହିତ ଏହାକୁ ବ୍ୟବହାର କରିବା ପାଇଁ ରାଜ୍ୟପାଳ ସ୍ନାତକମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ସ୍ନାତକମାନଙ୍କୁ ସମାଜ ଓ ରାଷ୍ଟ୍ରର ଉନ୍ନତି ପାଇଁ ପ୍ରଯୁକ୍ତି ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ।
ସମାବର୍ତ୍ତନ ଉତ୍ସବକୁ ସଫଳତାରୁ ଦାୟିତ୍ୱ ଆଡ଼କୁ ଏକ ପରିବର୍ତ୍ତନ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଡିଗ୍ରୀ କେବଳ ଏକ ପ୍ରମାଣପତ୍ର ନୁହେଁ, ବରଂ ଜ୍ଞାନକୁ ବିଜ୍ଞତାର ସହିତ ବ୍ୟବହାର କରି ସମାଜର ସେବା କରିବାର ଏକ ସ୍ମାରକ। କେବଳ ପ୍ରଯୁକ୍ତି ମାନବ ଉନ୍ନତିକୁ ନିଶ୍ଚିତ କରିପାରିବ ନାହିଁ, ଏହା ସହିତ ସତ୍ୟନିଷ୍ଠା, ବିନମ୍ରତା ଓ ଦାୟିତ୍ୱ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ଅବତାରଣା କହିଥିଲେ।
ସ୍ନାତକ, ସେମାନଙ୍କ ପରିବାର, ଅଧ୍ୟାପକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସିଲିକନ୍ ୟୁନିଭର୍ସିଟି ଏକାଡେମିକ୍ ଉତ୍କର୍ଷ, ଉଦ୍ଭାବନ ଓ ପ୍ରାଯୁକ୍ତିକ ଅଗ୍ରଗତି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୦୨୬-୨୮ ପାଇଁ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ସଂଗଠନ (ଏସଆଇଆରଓ) ଭାବେ ଏହାର ମାନ୍ୟତା ଏବଂ ଏନଆଇଆରଏଫ ଇଞ୍ଜିନିୟରିଂ ରାଙ୍କୀଙ୍ଗରେ ସ୍ଥାନ ପାଇବା ଏହାର ବଢୁଥିବା ଗବେଷଣା ସଂସ୍କୃତିର ପ୍ରମାଣ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ବିଶ୍ୱବିଦ୍ୟାଳୟ ଆହୁରି ଅଧିକ ଏକାଡେମିକ ଓ ଗବେଷଣା କ୍ଷେତ୍ର ବିସ୍ତାର କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ଏବଂ ସ୍ନାତକମାନଙ୍କୁ ନିଜର ଧାରଣା, ଦକ୍ଷତା, ଉଦ୍ୟୋଗ ଓ ଚରିତ୍ର ମାଧ୍ୟମରେ ଭାରତର ବିକାଶରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।
ଏହି ସମାବର୍ତ୍ତନ ସମାରୋହରେ ଡକ୍ଟରେଟ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଡିଗ୍ରୀ ଗ୍ରହଣକାରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ କେପଏଣ୍ଟ ଟେକ୍ନୋଲୋଜିଜ୍ ବୋର୍ଡର ଅଧ୍ୟକ୍ଷ ଡ. ଶ୍ରୀଧର ବାଲଚନ୍ଦ୍ର ଶୁକ୍ଲା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ କରିଥିଲେ। ପ୍ରାରମ୍ଭରେ ସିଲିକନ ୟୁନିଭର୍ସିଟିର କୁଳପତି ଡ. ଜୟଦୀପ ତାଲୁକଦାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।