ଭୁବନେଶ୍ୱର, ୨୪/୦୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ଏଣିକି ଅଫିସରଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି।
ସେବା ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବାକୁ ଏହି ଏସ୍ଓପି ଜାରି କରାଯାଇଛି। ସମୟସୀମା ମଧ୍ୟରେ ଆବେଦନର ସମାଧାନ ନହେଲେ କେବଳ ଆବେଦନକାରୀଙ୍କୁ ଅପିଲ୍ର ସୁଯୋଗ ମିଳିବ ନାହିଁ, ବରଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ବ୍ୟବସ୍ଥା ହୋଇପାରିବ।
ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେବା ଦେବାରେ ବିଳମ୍ବ ହେଲେ ଦାୟୀ ଅଧିକାରୀଙ୍କ ଦରମାରୁ ଜରିମାନା କଟାଯିବ। ବିଳମ୍ବର ପ୍ରତ୍ୟେକ ଦିନ ପାଇଁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗୁ ହେବ। ଏହି ଜରିମାନା ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରିବ।
ନୂଆ SOPର ଆଉ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି ‘ଅଟୋ-ଅପିଲ୍ ସିଷ୍ଟମ୍’। କୌଣସି ସେବା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଳିନଥିଲେ କିମ୍ବା ସେବା ପ୍ରଦାନରେ ଖିଲାପ ହେଲେ, ଆବେଦନକାରୀଙ୍କୁ ପୁଣି ଅଲଗା ଭାବେ ଅପିଲ୍ କରିବାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ୟବସ୍ଥା ଅନୁଯାୟୀ ମାମଲା ସ୍ୱୟଂଚାଳିତ ଭାବେ ଅପିଲ୍ ପ୍ରକ୍ରିୟାକୁ ଯିବ।
ଏହା ଦ୍ୱାରା ସେବା ପାଇବାରେ ଅସୁବିଧା ଭୋଗୁଥିବା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ସେହିପରି ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ସ୍ପଷ୍ଟ ହେବ।
ଅଟୋ-ଅପିଲ୍ ବ୍ୟବସ୍ଥାର ସୁପରିଚାଳନା ଓ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଏହି SOPକୁ ସମସ୍ତ ସରକାରୀ ବିଭାଗକୁ ପଠାଇଛି।