କଲ୍ୟାଣସିଂହପୁର ୨୪/୮(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପୀଠ ପାହାଡ ପଞ୍ଚମୁଖେଶ୍ୱରଙ୍କ ନିକଟରେ ବିଭିନ୍ନ ଜିଲ୍ଲାରୁ ଜଳାଭିଷେକ କରିବା ପାଇଁ ପବିତ୍ର ଶ୍ରାବଣମାସର ଶେଷ ସୋମବାରରେ ଲଘୁଚାପ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ପ୍ରଥମ, ଦ୍ୱିତୀୟ, ତୃତୀୟ ସୋମବାର ଠାରୁ ଶେଷ ସୋମବାର ଦିନ ପ୍ରବଳ ପ୍ରବଳ ବର୍ଷା ସତ୍ତ୍ୱେ ପ୍ରବଳ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଦୂର ଦୁରନ୍ତାରୁ ଭକ୍ତମାନେ ରବିବାର ଦିନ ଆସି କଲ୍ୟାଣସିଂହପୁର ଦେବଗିରି ଧାମ କ୍ରାନ୍ତିକାରୀ ଆଶ୍ରମ, ଗୁଣ୍ଡିଚା ମନ୍ଦିର, ଦୁର୍ଗା ମନ୍ଦିର, କଲ୍ୟାଣୀ ମଣ୍ଡପ ଓ ଦୋକାନ କମ୍ପ୍ଲେସରେ ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ, ନାଗାବଳୀ ନଦୀ ଓ କଲ୍ୟାଣି ନଦୀର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। କିଛି କାଉଡ଼ିଆ ନିଜ ନିଜ ଅଞ୍ଚଳରୁ ପାଣି ଭାର ନେଇ ତୁଣ୍ଡରେ ବୋଲବମ, ଜଟିଆ ବାବା ପାର କରେଗା, ଭୋଳା ବାବା ପାର କରେଗା, ହରେ ହରେ ବମ ଓ ଶିବ ପଞ୍ଚାକ୍ଷର ମନ୍ତ୍ର ବୋଲି ଚାଲି ଚାଲି ଦେବଗିରି ଧାମ ପାହାଡ଼ ଗୁମ୍ଫାରେ ଥିବା ପଞ୍ଚ ମୁଖେଶ୍ୱର ସ୍ଫଟିକ ଲିଙ୍ଗରେ ଜଳାଭିଷେକ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି। ବର୍ଷାରେ ଭିଜି ଭିଜି ଛୋଟ ପିଲାମାନେ, ମହିଳା ଓ ପୁରୁଷ ମାନେ ପାଣି ଭାର ଧରି ଦେବଗିରି ପାହାଡ଼ ଚଢି ଜଳାଭିଷେକ କରିଛନ୍ତି। ଭକ୍ତମାନଙ୍କ ପାଇଁ ପ୍ରସାଦ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ତଥା ଜିଲ୍ଲା ରାୟଗଡା, କୋରାପୁଟ, କଳାହାଣ୍ଡି, କଟକ, ନୟାଗଡ, ସୋନପୁର ତୁମୁଡିବନ୍ଧ, ବ୍ରହ୍ମପୁର, ସମ୍ବଲପୁର, ଗଜପତି, ନବରଙ୍ଗପୁର, ପାପଡାହାଣ୍ଡି, ବୌଦ୍ଧ, ଉମରକୋଟ, ଜଗତସିଂହପୁର, ବାଲିଗୁଡା, ଫୁଲବାଣୀ, ବଲାଙ୍ଗୀରରୁ ବହୁ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ବ୍ଲକରେ ଥିବା ସଦର ବୁଧେଲିଙ୍ଗେଶ୍ୱର, ନାରାୟଣପୁର, କରପା, ପୋଲମା, ଅଣ୍ଟାମଡା ଶିବ ମନ୍ଦିରରେ ବି କାଉଡ଼ିଆଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।