ଉଦୟପୁର ରାଜାମାତା ବିଜୟାରାଜ କୁମାରୀ ମେୱାରଙ୍କ ବିୟୋଗରେ ଶୋକପ୍ରକାଶ

ରାଜାମାତା ବିଜୟାରାଜ କୁମାରୀଙ୍କୁ ଶ୍ରଦ୍ଧାଞ୍ଜଳି, ମେୱାର ପରିବାର ପ୍ରତି ସମବେଦନା

ଭୁବନେଶ୍ୱର, ୧୫/୦୯: ଉଦୟପୁର ମେୱାର ରାଜାମାତା ବିଜୟାରାଜ କୁମାରୀ ଜୀ ମେୱାରଙ୍କ ବିୟୋଗରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ ଧର୍ମପତ୍ନୀ ତଥା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଗଭୀର ଶୋକପ୍ରକାଶ କରିଛନ୍ତି। ଉଭୟେ ଶୋକବାର୍ତ୍ତା ଜାରି କରି ରାଜାମାତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମେୱାର ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଶୋକବାର୍ତ୍ତାରେ କନକ ବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ କହିଛନ୍ତି ଯେ, ଉଦୟପୁରର ସ୍ୱର୍ଗତ ଶ୍ରୀଜୀ ଅରବିନ୍ଦ ସିଂହ ଜୀ ମେୱାରଙ୍କ ଧର୍ମପତ୍ନୀ ତଥା ରାଜାମାତା ସାହିବା ବିଜୟାରାଜ କୁମାରୀ ମେୱାରଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କର ଅନନ୍ତ ଯାତ୍ରାରେ ସେମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେମାନେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏକଲିଙ୍ଗ ଦିୱାନ ଶ୍ରୀଜୀ ହୁଜୁର ଡକ୍ଟର ଲକ୍ଷ୍ୟରାଜ ସିଂହ ଜୀ ମେୱାରଙ୍କ ମାତା ଭାବେ ବିଜୟାରାଜ କୁମାରୀଙ୍କ ସ୍ଥାନ ଅତ୍ୟନ୍ତ ସମ୍ମାନଜନକ ଥିଲା। ସେହିପରି ମହାରାଣୀ ସାହିବା ନିବୃତ୍ତି କୁମାରୀ ଜୀ ମେୱାରଙ୍କ ଶାଶୂ ଭାବରେ ମଧ୍ୟ ସେ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।

ଶୋକବାର୍ତ୍ତାରେ କୁହାଯାଇଛି ଯେ, ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ରାଜାମାତାଙ୍କ ବିଦାୟ ମେୱାର ପରିବାର ସହିତ ସେମାନଙ୍କ ନିଜ ପରିବାର ପାଇଁ ମଧ୍ୟ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ରାଜାମାତା ବିଜୟାରାଜ କୁମାରୀଙ୍କ ଜୀବନ ଗୌରବ, ପରମ୍ପରା ଓ ସମର୍ପଣର ଏକ ଆଲୋକବର୍ତ୍ତିକା ଥିଲା ବୋଲି ଉଭୟେ ନିଜ ଶୋକବାର୍ତ୍ତାରେ କହିଛନ୍ତି। ତାଙ୍କ ଜୀବନ ଓ ମୂଲ୍ୟବୋଧ ଆଗାମୀ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଏହି ଦୁଃଖଦ ସମୟରେ ମେୱାର ପରିବାର ସହ ପ୍ରାର୍ଥନାରେ ସାମିଲ ହୋଇ ରାଜାମାତାଙ୍କ ଗରିମାମୟ ଓ କରୁଣାମୟ ସ୍ମୃତିକୁ ପ୍ରଣାମ ଜଣାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ ଓ ସଙ୍ଗୀତା କୁମାରୀ ସିଂହଦେଓ। ଶେଷରେ ସେମାନେ “ଓମ୍ ଶାନ୍ତି” ଉଚ୍ଚାରଣ କରି ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।