ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ‘ମେଗା ରକ୍ତଦାନ ଶିବିର’
ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ, ସୃଷ୍ଟି ହେଲା ନୂତନ ବିଶ୍ୱ ରେକର୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ହେଉଛନ୍ତି ‘ବିକଶିତ ଭାରତର ବିନ୍ଧାଣୀ’: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଭୂବନେଶ୍ୱର, ୧୭/୦୯: ବିକଶିତ ଭାରତର ବିନ୍ଧାଣୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ପଚାଶ ବର୍ଷର ଜନସେବା ଏବଂ ପଚିଶ ବର୍ଷର ନିରବଚ୍ଛିନ ଶାସନ ଦେଶରେ କାୟାକଳ୍ପ ଆଣିଛି । ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରକ୍ତଦାନ କରି ଗୋଟିଏ ଜୀବନ ବଂଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୈାଣସି ବିକଳ୍ପ ନାହିଁ ଏବଂ ଏହା କୈାଣସି ଡାକ୍ତରଖାନାରେ ତିଆରି ହୋଇପାରିବ ନାହିଁ । ରାଜ୍ୟରେ ରକ୍ତ ଅଭାବରୁ ଯେପରି କୈାଣସି ଜୀବନ ଅସମୟରେ ଝଡି ନପଡେ, ସେଥି ପାଇଁ ସରକାର ସଂକଳ୍ପବଦ୍ଧ । ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୫୦.୪୫ କୋଟି ଟଙ୍କାର ବ୍ୟୟବରାଦ ସହ ଅଟଳ ରକ୍ତଦାନ ଅଭିଯାନ ଆରମ୍ଭ କରାଯାଇଛି । ଏହା ଅଧିନରେ ରାଜ୍ୟର ନୂତନ ମେଡିକାଲ କଲେଜଗୁଡିକରେ ରକ୍ତଦାନ ଭଣ୍ଡାର ସ୍ଥାପନ ଏବଂ ପୁରଣା ରକ୍ତଭଣ୍ଡାରଗୁଡିକର ଆଧୁନୀକରଣ କରାଯାଉଛି । ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢି ସମାଜସେବାରେ ନିୟୋଜିତ ହେବା ସହିତ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦିଜୀଙ୍କ ପ୍ରତି ଶେଷ୍ଠ ସମ୍ମାନ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଏହି ଅବସରରେ ଯୋଗ ଦେଇ କହିଛନ୍ତି ଯେ, ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା, ଉତ୍ସାହ ଏବଂ ଆତ୍ମବିଶ୍ୱାସର ଦିନ । ସେବା ହିଁ ଆମ ସମସ୍ତଙ୍କର ପରମ ଧର୍ମ । ଉକ୍ତ ବାର୍ତାକୁ ନେଇ ଆମେ ଲୋକଙ୍କ ପାଖରେ ପହଁଚିବା । ଏହି କାର୍ଯ୍ୟକ୍ରମ ଆଜି ରକ୍ତଦାନ ଶିବିରରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀଙ୍କ ୨୫ ବର୍ଷର ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ । ଦେଶରେ ଅନେକ ପରିବର୍ତନ ଆଣିଛନ୍ତି ମୋଦିଜୀ । “ସେବା ହିଁ ପରମ ଧର୍ମ” ମନ୍ତ୍ରକୁ ଆଧାର କରି କାର୍ଯ୍ୟ କରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଭଳି ଭାବେ ନିଷ୍ଠାର ସହ ଲୋକଙ୍କ ସେବା କରୁଛନ୍ତି, ସେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ଏବଂ ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇ ରହିବ । ବୈଶ୍ୱିକ ମହାମାରୀ କରୋନା ସମୟରେ ତାଙ୍କର ସେବା କାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଓ ଦେଶ ପାଇଁ ଯେଉଁ ଅସଂଖ୍ୟ କାମ କରିଛନ୍ତି ତାହାକୁ ଗଣି ହେବ ନାହିଁ । ନିଷ୍ଠାର ସହ ଜନସେବା, ଗରିବ କଲ୍ୟାଣ ଓ ସମାଜ ସେବା କରି ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟେଇ ପାରିଛନ୍ତି ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ । ରକ୍ତ ଅଭାବ କାରଣରୁ କେହି ଯେପରି ମୃତ୍ୟୁବରଣ ନ କରନ୍ତି ତାହା ଆମ ସମସ୍ତଙ୍କର କର୍ତବ୍ୟ । କରୋନା ପରଠୁ ରକ୍ତର ଆବଶ୍ୟକତା ଏବେ ବହୁତ ବଢ଼ିଯାଇଛି, ବହୁ ଲୋକ ରକ୍ତ ଅଭାବ ଯୋଗୁ ଚିକିତ୍ସାରୁ ବଚିଂତ ହେଉଛନ୍ତି । ଏଭଳି ସମୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ବିଶେଷ କରି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡଳସ୍ତରରୁ ରକ୍ତ ସଂଗ୍ରହ କରି ଏହି ଆବଶ୍ୟକତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ଯେତେବେଳେ ବି ରକ୍ତର ଆବଶ୍ୟକତା ପଡ଼ିଛି ରକ୍ତଦାନ ଶିବିର ଜରିଆରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଷ୍ଠାର ସହ ପ୍ରୟାସ ଜାରୀ ରଖିଛନ୍ତି, ଯାହା ଆମ ଭିତରେ ଆତ୍ମସନ୍ତୋଷ ଆଣିଦେଇଛି । ଯେତେବେଳେ ଆମକୁ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ନିଷ୍ଠାର ସହ କରାଯାଇଛି । ମୋଦିଜୀଙ୍କ ଜନ୍ମଦିନରେ ଏଭଳି ମେଗା ରକ୍ତଦାନ ଶିବିର ଆୟୋଜନ କରିବା ଆମ ସମସ୍ତଙ୍କ ପାଇଁ ଗୋଟେ ଖୁସିର ଦିନ ବୋଲି କହିବା ସହିତ ଆଜିର ଏହି ରକ୍ତଦାନ ଶିବିରରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତା, ସମସ୍ତ ଅନୁଷ୍ଠାନ ଓ ସହଯୋଗୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଶେଷ ଧନ୍ୟବାନ ଜଣାଇଛନ୍ତି ।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ବିଶାଳ ରକ୍ତଦାନ ଶିବରରେ ଯେଉଁ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିବାକୁ ଆସିଛନ୍ତି ଏବଂ ଏଠାରେ ଉପସ୍ଥିତ ସମସ୍ତ ଯୁବ ଓ ଛାତ୍ରମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ୨୦୧୪ ମେ’ ମାସରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟବର ମୋଦିଜୀ ଶପଥ ନେବା ପରେ ଜୁନ୍ ମାସରେ ଯୁବକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ଯୁବକ ଓ ପାର୍ଟିର କାର୍ଯ୍ୟକର୍ତାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କୌଣସି ଗୋଟେ କାମକୁ ଜୀବନର ବ୍ରତ ହିସାବରେ ନେବା ପାଇଁ ଚାହୁଁଛ, ତାହା ହେଉଛି ରକ୍ତଦାନ ଅଭିଯାନ । ଏଥିସହ \”ରକ୍ତକୋଷ\’ ନାଁରେ ସେ ସରକାରଙ୍କ ପକ୍ଷରୁ ଡିଜିଟାଲ ପୋର୍ଟାଲ କରିଛନ୍ତି । ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସେଇଠି ପଞ୍ଜୀକୃତ ହେବାକୁ ଆହ୍ୱାନ ଦିଅନ୍ତି । ରକ୍ତ ପାଇଁ ଲୋକଙ୍କୁ ଯେପରି ହସ୍ପିଟାଲକୁ ଦୌଡିବାକୁ ନ ପଡ଼ିବ ସେଥିପାଇଁ ପ୍ଲାଟଫର୍ମ କରିଛନ୍ତି ମୋଦିଜୀ । ଦେଶ ପାଇଁ ମୋଦିଜୀ କରିଥିବା କାମ ଯେତେ ଗଣିଲେ ବି ତାହା କମ୍ ହେବ । କେହି କେହି ତାଙ୍କୁ ମହାପୁରୁଷ ବୋଲି କହୁଥିବାବେଳେ ଆଉ କେତେଜଣ ମହାପଭ୍ରୁ ଶ୍ରୀ ଜଗନ୍ନାଥଙ୍କର ତାଙ୍କ ଉପରେ ଆର୍ଶୀବାଦ ଥିବା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀଙ୍କ ୨୫ ବର୍ଷର ଶାସନକାଳ ଆସନ୍ତା ଅକ୍ଟୋବର ୭ରେ ପୂରଣ ହେଉଥିବାବେଳେ ସେହି ସମୟରେ ତାଙ୍କ ଜନ୍ମଦିନ ପଡ଼ିବା ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର । ଏହାକୁ ଯୁବ ଓ ଛାତ୍ର ସଂଗଠନ କେକ୍ କାଟି କିମ୍ବା ବାଣ ଫୁଟାଇ ପାଳନ ନ କରି ରକ୍ତ ଦେଇ ଓ ଲୋକଙ୍କ ସେବା କରି ସ୍ମରଣୀୟ କରିବାକୁ ଚାହୂୁଁଛି । ଥାଲାସେମିଆ ରୋଗୀଙ୍କୁ ଯେପରି ରକ୍ତର ଅଭାବ ନ ପଡ଼େ, ସେଥିପାଇଁ ବିଜେପିର ଯୁବମୋର୍ଚ୍ଚା ସଂକଳ୍ପ ନେଇଛି । ଏହି ସେବା ସଂକଳ୍ପ ଅଭିଯାନକୁ ଆଗକୁ ବଢ଼ାଇ ବିଜେପି ଏକ ଭିନ୍ନ ରାଜନୈତିକ ଦଳ ବୋଲି ଆମେ ପ୍ରମାଣିତ କରିଛୁ । ଆଜିର ଏହି ମହାନ କାର୍ଯ୍ୟରେ ସହଭାଗୀ ହୋଇଥିବା ସମସ୍ତ ରକ୍ତଦାତା, ସ୍ୱେଚ୍ଛାସେବୀ, ଯୁବ କାର୍ଯ୍ୟକର୍ତ୍ତା ଓ ସହଯୋଗୀଙ୍କୁ ଶ୍ରୀ ପଣ୍ଡା ଆନ୍ତରିକ ସାଧୁବାଦ ଜ୍ଞାପନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସେବା ସଂକଳ୍ପ ଅଭିଯାନ ରାଜ୍ୟ ସଂଯୋଜକ ତଥା ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ଶ୍ରୀ ବାବୁ ସିଂ, ଶ୍ରୀ ଦୁର୍ଗାପ୍ରସନ୍ନ ନାୟକ, ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।
ଋକ୍ତଦାନ ଶିବିର ସଂପର୍କରେ ସୂଚନା ଦେଇ ମାନ୍ୟବର ମନ୍ତ୍ରୀ ତଥା ସେବା ସଂକଳ୍ପ ଅଭିଯାନର ରାଜ୍ୟ ସଂଯୋଜକ ଡ.କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ଏହି ମେଗା ରକ୍ତଦାନ ଶିବିର ନୂତନ ରେକର୍ଡ ସ୍ଥାପନା କରିଛି । ଆଜି ଗୋଟିଏ ଦିନରେ, ଗୋଟିଏ ସ୍ଥାନ, ଗୋଟିଏ କ୍ୟାଂପ ଏବଂ ଗୋଟିଏ ସଂସ୍ଥା ଜରିଆରେ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯାହାକି ଏକ ନୂତନ ବିଶ୍ୱ ରେକର୍ଡ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମଦିନ ଅବସରରେ ଏହା ହେଉଛି ପ୍ରକୃତ ଉପହାର । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତଙ୍କୁ ଏହି ରେକର୍ଡ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଆଜିର ସଫଳତା ସଂପୂର୍ଣ୍ଣ ଭାବେ ଗୋଟିଏ ଟିମ୍ ଓ୍ôାର୍କ ର ପ୍ରତିଫଳନ ଏବଂ ଓଡିଶାର ଯୁବବର୍ଗଙ୍କ ହୃଦୟରେ ମୋଦିଜୀଙ୍କ ପ୍ରତି ଭଲ ପାଇବାକୁ ପରିପ୍ରକାଶ କରୁଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି । ଏହି ଅବସରରେ ‘ୱାର୍ଲ୍ଡ ବୁକ ଅଫ୍ ରେକର୍ଡ’ ସଂସ୍ଥାର ପ୍ରତିନିଧି ସାର୍ଟିଫିକେଟ ପ୍ରଦାନ କରିଥିଲେ ।