ସ୍ୱର୍ଗତ ସୁକୁମାର ସାହୁଙ୍କୁ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ସ୍ୱର୍ଗତ ସୁକୁମାର ସାହୁଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ବିଜେପିର ବରିଷ୍ଠ ନେତା

ଭୁବନେଶ୍ୱର, ୨୪/୦୯: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମସି ୱାର୍ଡ ନଂ ୪ର କର୍ପୋରେଟର ତଥା ଜନପ୍ରିୟ ସମାଜସେବୀ ସ୍ୱର୍ଗତ ସୁକୁମାର ସାହୁଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ଅଚାନକ ବିୟୋଗରେ ପରିବାରବର୍ଗ, ବନ୍ଧୁବର୍ଗ, ସହଯୋଗୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି।

ଏହି ଗଭୀର ଦୁଃଖଦ ମୁହୂର୍ତ୍ତରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଜୟ ସୋଲ କ୍ଲବଠାରେ ପହଞ୍ଚି ସ୍ୱର୍ଗତ ସୁକୁମାର ସାହୁଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ସେ ସ୍ୱର୍ଗତ ସାହୁଙ୍କ ପାର୍ଥିବ ଶରୀର ଉପରେ ଭାରତୀୟ ଜନତା ପାର୍ଟିର ପତାକା ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧା, ସମ୍ମାନ ଓ ଶୋକବ୍ୟକ୍ତ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱର୍ଗତ ସୁକୁମାର ସାହୁ ଜଣେ ସରଳ, ମିଷ୍ଟଭାଷୀ ଓ ଲୋକଙ୍କ ସହ ସର୍ବଦା ନିବିଡ଼ ଭାବେ ଜଡ଼ିତ ଥିବା ଜନପ୍ରତିନିଧି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ଅଞ୍ଚଳର ଲୋକଙ୍କ ସୁଖଦୁଃଖରେ ସାଥୀ ହେବା, ଜନସାଧାରଣଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବେ ଗ୍ରହଣ କରି ସମାଧାନ ପାଇଁ ପ୍ରୟାସ କରିବା ଏବଂ ସମାଜସେବା ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟ କରିଥିଲା।

ତାଙ୍କର ଅକାଳ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଅଞ୍ଚଳବାସୀ ଓ ଜନସେବା କ୍ଷେତ୍ର ପାଇଁ ମଧ୍ୟ ଏକ ବଡ଼ କ୍ଷତି ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା, ଆତ୍ମୀୟତା ଓ ସେବାମନୋଭାବ ସର୍ବଦା ସ୍ମୃତିରେ ଅମର ହୋଇ ରହିବ।

ଶ୍ରୀ ଗୋଲକ ମହାପାତ୍ର ସ୍ୱର୍ଗତ ସୁକୁମାର ସାହୁଙ୍କ ପବିତ୍ର ଆତ୍ମାର ସଦ୍ଗତି କାମନା କରିବା ସହ ଏହି ଗଭୀର ଦୁଃଖର ଘଡ଼ିରେ ଶୋକସନ୍ତପ୍ତ ପରିବାର, ଆତ୍ମୀୟସ୍ୱଜନ ଓ ଅଗଣିତ ଶୁଭେଚ୍ଛୁଙ୍କୁ ଏହି ଅପୂରଣୀୟ ବିୟୋଗକୁ ସହିବା ପାଇଁ ମହାପ୍ରଭୁ ଅସୀମ ଧୈର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

“ସ୍ୱର୍ଗତ ସୁକୁମାର ସାହୁଙ୍କ ସେବା, ସରଳତା ଓ ଲୋକଙ୍କ ପ୍ରତି ତାଙ୍କର ଆତ୍ମୀୟତା ତାଙ୍କୁ ସର୍ବଦା ଆମ ସ୍ମୃତିରେ ଜୀବନ୍ତ ରଖିବ।”