ବିଏଲଓଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ

ଏସଆଇଆର ୨୦୨୬ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବିଏଲଓଙ୍କୁ ମିଳିବ ସମ୍ମାନ ଭତ୍ତା

ଭୁବନେଶ୍ୱର, ୨୪/୦୯: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ଏସଆଇଆର ୨୦୨୬ କାର୍ଯ୍ୟରେ ନିୟୋଜିତ ବୁଥ୍ ଲେବଲ୍ ଅଫିସର (ବିଏଲଓ)ମାନଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା ହୋଇଛି। ଏସଆଇଆର କାର୍ଯ୍ୟରେ ବିଏଲଓମାନଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଏଲଓଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ସମ୍ମାନ ଭତ୍ତା ଦେବାକୁ ବ୍ୟବସ୍ଥା କରାଯାଇଛି।

ଏନେଇ ଗୃହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କୁ ଚିଠି ଜାରି କରାଯାଇଥିବା ସୂଚନା ମିଳିଛି। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୪୫ ହଜାରରୁ ଅଧିକ ବିଏଲଓ ନିୟୋଜିତ ହୋଇଛନ୍ତି। ମେ’ ୩୦ରୁ ଓଡ଼ିଶାରେ ଘରକୁ ଘର ଯାଇ ଏସଆଇଆର ସର୍ଭେ ଆରମ୍ଭ ହୋଇଥିବା ବେଳେ ୪୫ ହଜାରରୁ ଅଧିକ ବିଏଲଓ ଏଥିରେ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋଟ ୪୫,୨୫୦ ଜଣ ବିଏଲଓଙ୍କ ପାଇଁ ୮୧ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ପ୍ରତ୍ୟେକ ବିଏଲଓଙ୍କୁ ୧୮ ହଜାର ଟଙ୍କା ହିସାବରେ ଏହି ଅର୍ଥରାଶି ନିର୍ଦ୍ଧାରଣ କରାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ କମିଶନ ପୂର୍ବରୁ ବିଏଲଓମାନଙ୍କ ବାର୍ଷିକ ପାରିଶ୍ରମିକ ବୃଦ୍ଧି କରିଥିଲେ। ୨୦୨୫ରେ ବିଏଲଓଙ୍କ ବାର୍ଷିକ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କା ଏବଂ ବିଏଲଓ ସୁପରଭାଇଜରଙ୍କ ପାରିଶ୍ରମିକ ୧୨ ହଜାରରୁ ୧୮ ହଜାର ଟଙ୍କା କରାଯାଇଥିଲା।