ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ବିଦେଶୀ ବାଣିଜ୍ୟିକ ସମ୍ପର୍କ ଓ ନୌଚାଳନା ପରମ୍ପରା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ
ଭୁବନେଶ୍ବର/କଟକ, ୨୪/୦୯: କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ-୨୦୨୬ ପାଳିତ ହୋଇଛି। ଜଳ ସମ୍ପଦ ବିଭାଗ ଏବଂ ସାମୁଦ୍ରିକ ସଂଗ୍ରହାଳୟ ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ।
ଏହି ଅବସରରେ ସାମୁଦ୍ରିକ ଐତିହ୍ୟକୁ ଆଧାର କରି ବାଲୁକା ଶିଳ୍ପ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ସମୁଦ୍ରଯାତ୍ରା, ବିଦେଶୀ ବାଣିଜ୍ୟିକ ସମ୍ପର୍କ ଓ ନୌଚାଳନା ପରମ୍ପରା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିସହ ରାଜ୍ୟ ସଂଗ୍ରହାଳୟର ଚୟନିତ ଐତିହାସିକ କଳାକୃତି ଓ ପ୍ରତ୍ନବସ୍ତୁ ପ୍ରଦର୍ଶିତ ହୋଇ ଓଡ଼ିଶାର ସାଂସ୍କୃତିକ ଓ ସାମୁଦ୍ରିକ ଐତିହ୍ୟର ବିବିଧ ଦିଗକୁ ପ୍ରତିଫଳିତ କରାଯାଇଥିଲା।