ଏମଏମଡିଆର ଝଡ଼: ୪ର୍ଥ ଦିନରେ ୪ ମିନିଟ୍‌ ଚାଲିଲା ଗୃହ

ପ୍ରବଳ ହଟ୍ଟଗୋଳ ପାଇଁ ମୁଲତବୀ ଘୋଷଣା କଲେ ଉପବାଚସ୍ପତି

ଭୁବନେଶ୍ୱର, ୨୫/୦୯: ଚଳିତ ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଉପବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ଏମ୍‌ଏମ୍‌ଡିଆର୍ ସଂଶୋଧନ ଆଇନ-୨୦୨୬ ପ୍ରସଙ୍ଗକୁ ନେଇ ନାରାବାଜି କରିଥିଲେ। ପ୍ରଶ୍ନକାଳ ସମୟରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ କରିଥିଲେ ଉପବାଚସ୍ପତି। ଆଜି ଚତୁର୍ଥ ଦିନରେ ମାତ୍ର ୪ ମିନିଟ୍ ଚାଲି ପାରିଛି ଗୃହକାର୍ଯ୍ୟ।

ଗତ ତିନି ଦିନ ଧରି ମଧ୍ୟ ବିଧାନସଭା କାର୍ଯ୍ୟ ଲଗାତାର ବାଧାପ୍ରାପ୍ତ ହୋଇଆସୁଛି। ପ୍ରଥମ ଦିନରୁ ଏମ୍‌ଏମ୍‌ଡିଆର୍ ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି।