ସିଇସିଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

‘ଏମଏମଡିଆର ପ୍ରସଙ୍ଗରେ ବିଜେପିର ୨୦ ସାଂସଦ ଚୁପ’

ଭୁବନେଶ୍ୱର, ୨୫/୦୯: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ସମୟରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ଦୁଇଟି ପ୍ରମୁଖ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଏବଂ ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କ ଇସ୍ତଫା ଦାବି କରି ସେ ନିଜର ଦୃଢ଼ ଆଭିମୁଖ୍ୟ ପ୍ରକାଶ କରିଛନ୍ତି।

ନବୀନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଏମଏମଡିଆର ସଂଶୋଧନ ଆଇନ ଓଡ଼ିଶାର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଏହି ସଂଶୋଧନ ଫଳରେ ରାଜ୍ୟର ନିଜସ୍ୱ ଖଣିଜ ଟିକସ ଆଦାୟ ଅଧିକାର ପ୍ରଭାବିତ ହେବ, ଯାହାଫଳରେ ଓଡ଼ିଶା ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବ। ବିଜେପିର ୨୦ ସାଂସଦ ସଂସଦରେ ଚୁପ୍ ରହିଲେ। ତେଣୁ ପୁନଃ ସମୀକ୍ଷା ପାଇଁ ଦଳ ଚାପ ପକାଇବ ବୋଲି କହିଛନ୍ତି ନବୀନ।

ଅନ୍ୟପଟେ ନିର୍ବାଚନ ପରିଚାଳନା ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ ଆୟୋଗ (CEC)ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଏସ୍‌ଆଇଆର୍ କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି। ଏସଆଇଆର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି। ଏଥିରେ ପୁନଃ ସମୀକ୍ଷା ଆବଶ୍ୟକ। ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ନିରପେକ୍ଷତାକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଓ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।