ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ସିକରପାଇ ଷ୍ଟେସନ୍ରେ ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନ୍ ରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍
କଲ୍ୟାଣସିଂହପୁର, ୨୫/୦୯(ନିପ୍ର): ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଉଛି I ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ ପଥର ଖସିଥିବା କୁହାଯାଉଛିI
ସିକରପାଇରୁ ଭାଲୁମାସ୍କା ମଧ୍ଯରେ କେ ଆର ଲାଇନ ରେ ଦ୍ଵିତୀୟ ଲାଇନ ରେଳପଥ କାର୍ଯ୍ୟ ଜାରି ରହିଛି। ୨୯ନମ୍ବର ଟନେଲ ନିକଟରେ ଥିବା ପାହାଡ଼ରୁ ବିରାଟ ମାଟି ଅତଡ଼ା ସହ ପଥର ରେଳ ଲାଇନ ଉପରେ ଧସିବା ପରେ ସିକରପାଇ ଷ୍ଟେସନ୍ରେ ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନ୍ ରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍I ଘଟଣାସ୍ଥଳରେ ରେଳ ବିଭାଗର ସୁରକ୍ଷା କର୍ମୀ ଓ ଇଂଜିନିଅରିଙ୍ଗ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକା ସମୟ ଧରି ଟ୍ରେନ ଅଟକି ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଗତକାଲି ଲେଲିଗୁମା ଓ ରାଉଳି ମଧ୍ୟରେ ମାଟି ଧସି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲାI ରାୟଗଡା ରେଳ ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛିI ବର୍ଷା ଯୋଗୁଁ ରାୟଗଡା ଆନ୍ଧ୍ର ପ୍ରଦେଶ ରାସ୍ତାରେ ଗଛ ପଡିବା ଯୋଗୁଁ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛିI ମେଟୁ କେରଡ଼ା ନିକଟରେ ଗୋଟିଏ ବଡ ଗଛ ପଡିଥିବା ଜଣାପଡିଛି । ଗତକାଲି ମଧ୍ୟ ପ୍ରବଳ ବର୍ଷା କାରଣରୁ ଏହି ରେଳ ଲାଇନ୍ର ଏକାଧିକ ସ୍ଥାନରେ ମାଟି ଅତଡ଼ା ଖସିଥିଲା। ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଥିବାରୁ ସମସ୍ତ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ, ଟନେଲ ଏବଂ ରେଳ ଟ୍ରାକ୍ ଉପରେ ରେଳ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।