ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂସା

କ୍ୟାପଟେନ୍ ମଚ୍ଛାରଙ୍କ ପାଇଁ ପୂରା ଭାରତ ଗର୍ବିତ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୦୧/୧୦: ଫ୍ଲାଇଦୁବାଇ ବିମାନ ଘଟଣା ସମୟରେ ଅସାଧାରଣ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିବା ଭାରତୀୟ ପାଇଲଟ୍‌ କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁତର ଆହତ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ମଚ୍ଛାର ଯେଉଁ ସାହସ ଓ ତୁରନ୍ତ ପଦକ୍ଷେପ ନେଇଥିଲେ, ତାହା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାରଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଦେଶବାସୀଙ୍କୁ ଗର୍ବିତ କରିଛି। ଗୁରୁତର ଆହତ ସତ୍ତ୍ୱେ ସେ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ରହିଥିଲେ। ତାଙ୍କର ସାହସ ଓ ତୁରନ୍ତ ନିଷ୍ପତ୍ତି ଏକ ବଡ଼ ବିପର୍ଯ୍ୟୟକୁ ଏଡ଼ାଇବାରେ ସହାୟକ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ରାଷ୍ଟ୍ରପତି ମଚ୍ଛାରଙ୍କ ଅଦମ୍ୟ ମନୋଭାବକୁ ସାଲ୍ୟୁଟ୍‌ କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଏହି ଘଟଣା ପରେ କ୍ୟାପଟେନ୍‌ ମଚ୍ଛାରଙ୍କ ସାହସକୁ ନେଇ ଭାରତ ସମେତ ବିଭିନ୍ନ ଦେଶରୁ ପ୍ରଶଂସାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କରିଛନ୍ତି।

ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ମଚ୍ଛାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗୁରୁତର ଆହତ ସତ୍ତ୍ବେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ ମଚ୍ଛାର। ଅସାଧାରଣ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିଲେ। ତାଙ୍କର ବୀରତ୍ୱ ଶହ ଶହ ଜୀବନ ବଞ୍ଚାଇଥିଲା। ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା। କ୍ୟାପଟେନ୍ ମଚ୍ଛାରଙ୍କ ପାଇଁ ପୂରା ଭାରତ ଗର୍ବିତ।

କ’ଣ ଘଟିଥିଲା ବିମାନରେ?

ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇର FZ1073 ବିମାନ ଦୁବାଇରୁ ଇସ୍ରାଏଲର ତେଲ୍‌ ଆଭିଭ୍‌ ଅଭିମୁଖେ ଯାଉଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। ଉଡ଼ାଣ ସମୟରେ କକ୍‌ପିଟ୍‌ରେ ଦୁଇ ପାଇଲଟ୍‌ଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ହୋଇଥିଲା। ରିପୋର୍ଟ ଅନୁସାରେ, ସହ-ପାଇଲଟ୍‌ କ୍ୟାପଟେନ୍‌ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ ଏବଂ ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ।

ଗୁରୁତର ଆହତ ହୋଇଥିଲେ ମଧ୍ୟ ମଚ୍ଛାର କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକ୍‌ପିଟ୍‌ ଭିତରକୁ ପ୍ରବେଶ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସହାୟତା କରିଥିଲେ। ବିମାନଟି ପରେ ସାଉଦି ଆରବର ତାବୁକ୍‌ଠାରେ ଜରୁରୀ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ୧୭୪ ଯାତ୍ରୀ ସୁରକ୍ଷିତ ଅଛନ୍ତି।

କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାର ଜଣେ ଅଭିଜ୍ଞ ପାଇଲଟ୍‌। ତାଙ୍କର ୧୩ ବର୍ଷରୁ ଅଧିକ ବାଣିଜ୍ୟିକ ବିମାନ ଚାଳନା ଅଭିଜ୍ଞତା ଅଛି। ସେ ପୂର୍ବରୁ ସ୍ପାଇସ୍‌ଜେଟ୍‌ରେ ପ୍ରାୟ ୧୧ ବର୍ଷ କାର୍ଯ୍ୟ କରିଥିଲେ। ପରେ ୨୦୨୨ରେ ଫ୍ଲାଇଦୁବାଇରେ ଯୋଗ ଦେଇଥିଲେ। ତାଙ୍କର ମୋଟ ଉଡ଼ାଣ ଅଭିଜ୍ଞତା ପ୍ରାୟ ୯,୭୫୦ ଘଣ୍ଟା ରହିଛି।

ଘଟଣା ପରେ ତାଙ୍କୁ ସାଉଦି ଆରବର ତାବୁକ୍‌ସ୍ଥିତ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଭାରତୀୟ ଅଧିକାରୀମାନେ ତାଙ୍କ ପରିବାର ଓ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।