ଭାରତୀୟ କ୍ୟାପ୍ଟେନ ସ୍ମିତ ମାଚ୍ଛରଙ୍କ ସାହସିକତା: କୋ-ପାଇଲଟ୍‌ର ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ

ଭାରତୀୟ କମାଣ୍ଡରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା

ଦୁବାଇ, ୩୦/୦୯: ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଛି ଅତ୍ୟନ୍ତ ଗମ୍ଭୀର ଘଟଣା। ଉଡ଼ାଣ ସମୟରେ କକ୍‌ପିଟ୍‌ରେ ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଜଣେ ପାଇଲଟ୍ ଅନ୍ୟଜଣଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଘଟଣା ପରେ ବିମାନଟି ରୁଟ୍ ବଦଳାଇ ସାଉଦି ଆରବର ତାବୁକ୍‌ରେ ଜରୁରୀ ଅବତରଣ କରିଛି। ବିମାନରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋ-ପାଇଲଟ୍ ମୁଖ୍ୟ ପାଇଲଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆକ୍ରମଣ ପରେ ବିମାନର ଉଚ୍ଚତା ହଠାତ୍ ହ୍ରାସ ପାଇଥିଲା ଏବଂ ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା। ବିମାନରୁ ହାଇଜାକ ନେଇ ଜରୁରୀ ସଙ୍କେତ ପଠାଯାଇଥିଲା। ଏହା ଫଳରେ ଇସ୍ରାଏଲୀ ସୁରକ୍ଷା ବାହିନୀ ମଧ୍ୟ ସତର୍କ ହୋଇଥିଲେ।

ପ୍ରାଥମିକ ତଦନ୍ତ ଅନୁସାରେ ବିମାନର ମୁଖ୍ୟ ପାଇଲଟ୍‌ (କ୍ୟାପ୍ଟେନ୍) ଜଣେ ଭାରତୀୟ ନାଗରିକ। ତାଙ୍କ ନାମ ସ୍ମିତ୍ ମାଚ୍ଛର। ଜୁନ୍ ୨୦୨୨ ଠାରୁ ଫ୍ଲାଇଦୁବାଇର ବୋଇଂ ୭୩୭ ଫ୍ଲିଟରେ ଜଣେ କ୍ୟାପ୍ଟେନ୍ ଅଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇର ସ୍ପାଇସ୍ ଜେଟ୍‌ରେ ୧୧ ବର୍ଷ କାମ କରିଥିଲେ। ସେଠାରେ ସେ ଜଣେ ବରିଷ୍ଠ କମାଣ୍ଡର ଥିଲେ ଏବଂ ନଭେମ୍ବର ୨୦୨୦ ଠାରୁ ଜଣେ ଲାଇନ ଟ୍ରେନିଂ କ୍ୟାପ୍ଟେନ୍ ଥିଲେ।

ଆଜି ଘଟଣା ସମୟରେ ତାଙ୍କୁ କୋ-ପାଇଲଟ୍ ଛୁରୀରେ ଆକ୍ରମଣ କରିବା ସତ୍ତ୍ୱେ ସେ ସାହସର ସହ ଲଢ଼େଇ କରି ବିମାନକୁ କ୍ରାସ୍ ହେବାରୁ ବଞ୍ଚାଇଥିଲେ। ଆକ୍ରମଣକାରୀ କୋ-ପାଇଲଟ୍ ଜଣକ ଓମାନର ନାଗରିକ, ଯିଏ ଏକ ବର୍ଷରୁ କମ୍ ସମୟ ହେବ ଏହି ଏୟାରଲାଇନ୍ସରେ କାମ କରୁଥିଲେ। ସେ କ୍ୟାପ୍ଟେନ୍‌ଙ୍କୁ ଛୁରାମାଡ଼ କରି କୋକପିଟ୍‌ରୁ ବାହାର କରିବାକୁ ଏବଂ ୯/୧୧ ଭଳି ବିମାନକୁ କ୍ରାସ୍‌/ହାଇଜ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ଘଟଣାର ପ୍ରକୃତ ଉଦ୍ଦେଶ୍ୟ ଓ ଆକ୍ରମଣ ପଛରେ କୌଣସି ଆତଙ୍କବାଦୀ ଉଦ୍ଦେଶ୍ୟ ଥିଲା କି ନାହିଁ, ତାହା ତଦନ୍ତାଧୀନ ରହିଛି।

କିନ୍ତୁ କକପିଟ୍‌ରୁ ଚିତ୍କାର ଶୁଣି ପ୍ରଥମ ଧାଡ଼ିରେ ବସିଥିବା କିଛି ଇସ୍ରାଏଲୀ ଯାତ୍ରୀ ଆଗକୁ ଆସି ଆକ୍ରମଣକାରୀକୁ କାବୁ କରିଥିଲେ। ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ ଅଫ୍-ଡ୍ୟୁଟି ପାଇଲଟ୍‌ମାନେ ପରବର୍ତ୍ତୀ ସମୟରେ କକପିଟ୍ ନିୟନ୍ତ୍ରଣକୁ ନେଇ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

ତେବେ ଘଟଣା ସମୟରେ ବିମାନଟି ଭୟଙ୍କର ଭାବେ ଉଚ୍ଚତା ହ୍ରାସ କରିଥିଲା। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ଏହି ଘଟଣାରେ ବିମାନଟି ପ୍ରାୟ ୩୪ ହଜାର ଫୁଟ ଉଚ୍ଚତାରୁ ଉତ୍ତର-ପଶ୍ଚିମ ସାଉଦି ଆରବ ଉପରେ ପ୍ରାୟ ୧୬ ହଜାର ଫୁଟକୁ ମାତ୍ର ଦୁଇ ମିନିଟ୍ ମଧ୍ୟରେ ତଳକୁ ଖସି ପଡ଼ିଥିଲା।

ପରିସ୍ଥିତି ଜଟିଳ ହେବାରୁ ପ୍ରଥମେ ସାଧାରଣ ଆପାତକାଳୀନ କୋଡ୍ ‘୭୭୦୦’ ଏବଂ ପରେ ବିମାନ ଅପହରଣ ବା ‘ହାଇଜାକ୍’ ସୂଚନା ଦେଉଥିବା ଜରୁରୀକାଳୀନ କୋଡ୍ ‘୭୫୦୦’ ବଟନ୍ ଦବାଇଥିଲେ ଆହତ ପାଇଲଟ। ଏହା ଦେଖି ଇସ୍ରାଏଲ୍‌ର ସୁରକ୍ଷା ଏଜେନ୍ସି ଓ ବାୟୁସେନା ସତର୍କ ହୋଇ ଯୁଦ୍ଧବିମାନ ମଧ୍ୟ ଆକାଶମାର୍ଗକୁ ପଠାଇଥିଲେ।

ଛୁରାମାଡ଼ ଯୋଗୁଁ ଭାରତୀୟ କ୍ୟାପ୍ଟେନ୍ ଗୁରୁତର ଆହତ ହୋଇଥିଲେ। ବିମାନରେ ଯାତ୍ରା କରୁଥିବା ଜଣେ ଇସ୍ରାଏଲୀ ଦନ୍ତଚିକିତ୍ସକ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ଉଭୟ ପାଇଲଟ୍ ସାଉଦି ଆରବର ତବୁକ୍ ସହରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିମାନଟିକୁ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଅନ୍ୟପଟେ ଇସ୍ରାଏଲର ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର କହିଛନ୍ତି, ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ ଘଟଣା ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ଆତଙ୍କବାଦୀ ଇସ୍ରାଏଲୀମାନଙ୍କୁ ହତ୍ୟା କରିବା ପାଇଁ ଫ୍ଲାଏଦୁବାଇର FZ1073 ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହୁଁଥିଲେ।