ଦୁବାଇ, ୩୦/୦୯: ମଝି ଆକାଶରେ ଦୁଇଜଣ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଗଡ଼ା ଓ ଛୁରାମାଡ଼ କାରଣରୁ ଏକ ସମ୍ଭାବ୍ୟ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଏଡ଼ାଇ ଦିଆଯାଇ ପାରିଛି। ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ (FZ1073) ବିମାନରେ ଏଭଳି ଭୟାନକ ଘଟଣା ଘଟିଛି।
ସୂଚନା ଅନୁସାରେ, ବିମାନଟି ସାଉଦି ଆରବ-ଜୋର୍ଡାନ ସୀମା ନିକଟ ଆକାଶମାର୍ଗରେ ଥିବା ସମୟରେ ଦୁଇ ପାଇଲଟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ଏତେ ଭୟଙ୍କର ରୂପ ନେଇଥିଲା ଯେ, ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଛୁରୀରେ ଆକ୍ରମଣ କରି ଗୁରୁତର ଆହାତ କରିଥିଲେ।
ଆକ୍ରମଣକାରୀ ପାଇଲଟ୍ ଜଣକ ବିମାନକୁ କ୍ରାସ୍ କରାଇବାକୁ (ନିୟନ୍ତ୍ରଣ ହରାଇ ତଳକୁ ଖସାଇ ଦେବାକୁ) ଚେଷ୍ଟା କରୁଥିଲେ, ଯାହା ଫଳରେ ବିମାନଟି ୧୭ ହଜାର ୪୦୦ ଫୁଟ ତଳକୁ ଖସି ଆସିଥିଲା। ପରିସ୍ଥିତି ଜଟିଳ ହେବାରୁ ପ୍ରଥମେ ସାଧାରଣ ଆପାତକାଳୀନ କୋଡ୍ ‘୭୭୦୦’ ଏବଂ ପରେ ବିମାନ ଅପହରଣ ବା ‘ହାଇଜାକ୍’ ସୂଚନା ଦେଉଥିବା ଜରୁରୀକାଳୀନ କୋଡ୍ ‘୭୫୦୦’ ବଟନ୍ ଦବାଇଥିଲେ ପାଇଲଟ। ଏହା ଦେଖି ଇସ୍ରାଏଲ୍ର ସୁରକ୍ଷା ଏଜେନ୍ସି ଓ ବାୟୁସେନା ସତର୍କ ହୋଇ ଯୁଦ୍ଧବିମାନ ମଧ୍ୟ ଆକାଶମାର୍ଗକୁ ପଠାଇଥିଲେ।
କକପିଟ୍ରେ ରକ୍ତପାତ ଓ ଚିତ୍କାର ଶୁଣି ବିମାନରେ ଥିବା କିଛି ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ ସାହସ ଦେଖାଇ ଆକ୍ରମଣକାରୀ ପାଇଲଟଙ୍କୁ କାବୁ କରିଥିଲେ। ଏହାପରେ ଅନ୍ୟ ପାଇଲଟ୍ ଜଣକ ସୁରକ୍ଷିତ ଭାବେ ବିମାନକୁ ସାଉଦି ଆରବର ତବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିଲେ।
ବିମାନର ଜରୁରୀ ଅବତରଣ ପରେ ସମସ୍ତ ୧୮୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି। କିନ୍ତୁ ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ପାଇଲଟ୍ ଦ୍ୱୟଙ୍କ ମଧ୍ୟରେ ବ୍ୟକ୍ତିଗତ ବା ବୃତ୍ତିଗତ କେଉଁ ବିବାଦ ରହିଥିଲା, ସେ ନେଇ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏବଂ ସମ୍ପୃକ୍ତ ସୁରକ୍ଷା ସଂସ୍ଥାଗୁଡ଼ିକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି।