ମାସ ଆରମ୍ଭରୁ ମହଙ୍ଗା ମାଡ଼: ବଢ଼ିଲା କମର୍ସିଆଲ୍‌ LPG ସିଲିଣ୍ଡର ଦର

ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୦୧/୧୦: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ବ୍ୟବସାୟୀଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼। ଅକ୍ଟୋବର ୧ରୁ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦର ବଢ଼ିଛି। ଦିଲ୍ଲୀରେ ଏହାର ଦାମ ୬୨ ଟଙ୍କା ୫୦ ପଇସା ବଢ଼ି ୨,୮୧୦ ଟଙ୍କାରେ ପହଞ୍ଚିଛି। ତେଲ ବିପଣନ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ LPG ଦର ସଂଶୋଧନ କରିଛନ୍ତି।

ସେପ୍ଟେମ୍ବରରେ ମଧ୍ୟ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦର ୯ ଟଙ୍କା ୫୦ ପଇସା ବଢ଼ି ୨,୭୪୭ ଟଙ୍କା ୫୦ ପଇସା ହୋଇଥିଲା। ଏବେ ଅକ୍ଟୋବରରେ ପୁଣି ୬୨ ଟଙ୍କା ୫୦ ପଇସା ବୃଦ୍ଧି ହେବାରୁ ବ୍ୟବସାୟିକ LPG ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକର ଖର୍ଚ୍ଚ ବଢ଼ିଛି। ଏହି ଦରବୃଦ୍ଧିର ପ୍ରଭାବ ହୋଟେଲ୍‌, ରେସ୍ତୋରାଁ, ଢାବା, ମିଠା ଦୋକାନ, କ୍ୟାଟରିଂ ସଂସ୍ଥା ଓ ଅନ୍ୟାନ୍ୟ ଖାଦ୍ୟ ବ୍ୟବସାୟ‌ ଉପରେ ପଡ଼ିପାରେ।

ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ କମର୍ସିଆଲ୍‌ LPG ଦର ବଢ଼ିଛି। ମୁମ୍ବାଇରେ ୧୯ କେଜି ସିଲିଣ୍ଡର ୨,୭୬୪ ଟଙ୍କା ୫୦ ପଇସା, କୋଲକାତାରେ ୨,୯୫୪ ଟଙ୍କା ଏବଂ ଚେନ୍ନାଇରେ ୨,୯୮୩ ଟଙ୍କା ହୋଇଛି। ପାଟନାରେ ଏହା ୩,୧୦୦ ଟଙ୍କା ୫୦ ପଇସାରେ ପହଞ୍ଚିଛି।

ତେବେ ଘରୋଇ ଗ୍ରାହକଙ୍କ ପାଇଁ ବ୍ୟବହୃତ ୧୪.୨ କେଜି LPG ସିଲିଣ୍ଡର ଦରରେ ଅକ୍ଟୋବର ୧ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦର ୯୪୨ ଟଙ୍କା ରହିଛି।