ଜାତୀୟ ସବ୍-ଜୁନିୟର୍ ସଫ୍ଟବଲ୍ ଚାମ୍ପିୟନସିପ୍: ଚାମ୍ପିୟନ୍ ହେଲା ଓଡ଼ିଶା
ଚମକିଲେ ସେରିଗୁମ୍ମା ବିଦ୍ୟାଳୟର ଦୁଇ ଖେଳାଳି
କଲ୍ୟାଣସିଂହପୁର, ୦୧/୧୦ (ନିପ୍ର): ମହାରାଷ୍ଟ୍ରଠାରେ ଆୟୋଜିତ ଜାତୀୟ ସବ୍-ଜୁନିୟର୍ ସଫ୍ଟବଲ୍ ଚାମ୍ପିୟନସିପ୍ ରେ ଓଡ଼ିଶା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାମ୍ପିୟନ୍ ହୋଇଛି। ଏହି ସର୍ବଭାରତୀୟ ସ୍ତରର ବିଜୟ ସହିତ ଓଡ଼ିଶା ଦଳ ଏକ ନୂଆ ଇତିହାସ ରଚିଛି। ଏହି ସଫଳତାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସରକାରୀ ୟୁ.ଜି.ଏଚ୍.ଏସ୍. ସେରିଗୁମ୍ମା ବିଦ୍ୟାଳୟର ଦୁଇ ପ୍ରତିଭାବାନ ଖେଳାଳି ପ୍ରମୁଖ ଭୂମିକା ଗ୍ରହଣ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ସୂଚନା ଅନୁସାରେ, ସେରିଗୁମ୍ମା ବିଦ୍ୟାଳୟର ଛାତ୍ର ମୁନା ସବର ଏବଂ ପୁରାତନ ଛାତ୍ର ତଥା ବର୍ତ୍ତମାନ ଦେବଗିରି କଲେଜର ଛାତ୍ର ରାଜୁ ପିଡ଼ିସିକା ଓଡ଼ିଶା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପର୍ଯ୍ୟାୟରେ ଏହି ଦୁଇ ଖେଳାଳିଙ୍କ ଦମଦାର ଓ ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ହିଁ ଓଡ଼ିଶା ଦଳ ଏହି ସ୍ୱର୍ଣ୍ଣିମ ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି।
ଏହି ବିଶେଷ ସଫଳତା ପରେ ସେରିଗୁମ୍ମା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରାଜେଶ ବାରିକୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ବିଦ୍ୟାଳୟ, ଜିଲ୍ଲା ତଥା ସମଗ୍ର ରାଜ୍ୟର ନାମ ଆହୁରି ଉଜ୍ଜ୍ୱଳ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ କଲ୍ୟାଣସିଂହପୁର ଅଞ୍ଚଳ ତଥା ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି।