ବାବୁଙ୍କ ଆୟଠାରୁ ସମ୍ପତ୍ତି ବେଶୀ; ୮ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

ସରକାରୀ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଛାନଭିନ ଜାରି

ସୁନ୍ଦରଗଡ଼, ୦୯/୧୦: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ। ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ବାସଭବନରେ ରେଡ୍‌ କରୁଛି ଭିଜିଲାନ୍ସ। ଆୟ ବହିର୍ଭିତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିବା ସୂଚନା ମିଳିଛି। ପ୍ରସନ୍ନ କୁମାର ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଜାରି ରହିଛି। ଏହି ଅପରେସନ୍‌ରେ ଜଣେ ଆଡିସନାଲ ଏସପି, ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ଚଢ଼ାଉ ଚାଲିଥିବା ୮ଟି ସ୍ଥାନ:

– ନୟାପଲ୍ଲୀ, ଭୁବନେଶ୍ୱର: ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ (ନଂ-୮)।

– ମଞ୍ଚନାଥ ଭିଲା, ଭୁବନେଶ୍ୱର: ଫେଜ୍-୨ (M-105) ରେ ଥିବା ଦୁଇମହଲା ଆବାସିକ କୋଠା।

– ମଞ୍ଚନାଥ ଭିଲା, ଭୁବନେଶ୍ୱର: ଫେଜ୍-୨ (M-110) ରେ ଥିବା ଅନ୍ୟ ଏକ ଦୁଇମହଲା ଆବାସିକ କୋଠା।

– ମଞ୍ଚନାଥ ଭିଲା, ଭୁବନେଶ୍ୱର: ଫେଜ୍-୨ (M-115) ରେ ଥିବା ଦୁଇମହଲା ଆବାସିକ କୋଠା।

– ବାଲିଅନ୍ତା, ଖୋର୍ଦ୍ଧା: ବଳିଅନ୍ତା ତହସିଲ ଅଧୀନରେ ଥିବା ଅନ୍ୟ ଏକ ଦୁଇମହଲା ଆବାସିକ ସମ୍ପତ୍ତି।

– ସୁନ୍ଦରଗଡ଼: ସୁନ୍ଦରଗଡ଼ସ୍ଥିତ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ।

– ସୁନ୍ଦରଗଡ଼: କାର୍ଯ୍ୟାଳୟ ସାମ୍ନାରେ ଥିବା ତାଙ୍କ ସରକାରୀ ଆବାସ।

– ଚର୍ଚ୍ଚିକା, କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ଶ୍ୱଶୁର ଘର।

ଭିଜିଲାନ୍ସ ଟିମ୍ ପକ୍ଷରୁ ସମସ୍ତ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ରର ଯାଞ୍ଚ କରାଯାଉଛି।