ପୁଣି ଖୋଲିଲା ଏସଆଇ ପରୀକ୍ଷା ଦୁର୍ନୀତି ଫାଇଲ: ୯ଟି ସ୍ଥାନରେ ଇଡି ରେଡ୍

ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା

ଭୁବନେଶ୍ୱର, ୦୯/୧୦: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଦୁର୍ନୀତି ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଛାନଭିନ ଆରମ୍ଭ। ମନି ଲଣ୍ଡରିଂ ବା ବେଆଇନ ଅର୍ଥ କାରବାରର ଅଭିଯୋଗ ଆସିବା ପରେ ଇଡି ଏହି ମାମଲାର ତଦନ୍ତ ଭାର ନିଜ ହାତକୁ ନେଇ ୯ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହି ମାମଲାର ଦଲାଲ ମୁନା ମହାନ୍ତି, ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍‌ର ସୁରେଶ ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଇଡି ଟିମ୍ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ କରାଯାଇଛି।

ପରୀକ୍ଷାର୍ଥୀଙ୍କଠାରୁ ଚାକିରି କରାଇଦେବା ନାଁରେ ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ଏଥିରେ ପୂର୍ବରୁ ୧୧୭ ଜଣ ଧରାପଡିଥିଲେ। ଅଭିଯୁକ୍ତମାନେ ବେଆଇନ ଭାବେ କୋଟି କୋଟି ଟଙ୍କାର ନେଣଦେଣ କରି ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଇଡି ଏହି ଆର୍ଥିକ କାରବାରର ଚେର ଖୋଜୁଛି।

ଏହି ମାମଲାର ତଦନ୍ତ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରୁଥିଲା। ସିବିଆଇ ନିଜ ତଦନ୍ତ ପ୍ରକ୍ରିୟା ଶେଷ କରି ଅନେକ ଦଲାଲ, ପରୀକ୍ଷାର୍ଥୀ ଓ ସଂପୃକ୍ତ କମ୍ପାନୀ କର୍ମକର୍ତ୍ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିସାରିଛି।

ବର୍ତ୍ତମାନର ଇଡି ରେଡ୍ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ମୋବାଇଲ ଫୋନ୍ ଏବଂ ହାର୍ଡଡିସ୍କ ଜବତ କରାଯାଇଛି।