ବିଶେଷ ଅଭିଯାନ ୬ ଅନ୍ତର୍ଗତ ଏମ୍.ସି.ଏଲ୍.ରେ ବିଭିନ୍ନ ସଂସ୍ଥାନରେ ଅନୁଷ୍ଠିତ ହେଲା ଇ-ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ
୭୩ଟି ସ୍ଥାନ ସଫା କଲା ଏମ୍ସିଏଲ୍
ସମ୍ବଲପୁର, ୧୨/୧୦: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ଦେଶବ୍ୟାପୀ ପାଳନ କରାଯାଉଥିବା ‘ବିଶେଷ ଅଭିଯାନ ୬’ ରେ ସାମିଲ ହୋଇ ଏହାର ମୁଖ୍ୟାଳୟ ଏବଂ ବିଭିନ୍ନ ପରିଚାଳନା କ୍ଷେତ୍ରରେ ଦାୟିତ୍ୱବାନ ଇ-ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି। ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶେଷ ଅଭିଯାନରେ ଏମ୍.ସି.ଏଲ୍.ର ସମସ୍ତ ସଂସ୍ଥାନରେ ବ୍ୟବସ୍ଥିତ ବର୍ଜ୍ୟବସ୍ତୁ ସଂଗ୍ରହ, ପରିବେଶ ସଚେତନତା ଏବଂ ସ୍ୱଚ୍ଛତା ବୃଦ୍ଧି ଉପରେ ମୁଖ୍ୟ ଧ୍ୟାନ ଦିଆଯାଉଛି।
ଏହି ଅଭିଯାନର ଗୋଟିଏ ଭାଗ ସ୍ୱରୂପ, ଅବ୍ୟବହୃତ ତଥା ପରିତ୍ୟକ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ସଂଗ୍ରହ ଏବଂ ଅଧିକୃତ ପୁନଃଚକ୍ରଣ ସଂସ୍ଥା ମାଧ୍ୟମରେ ସୁରକ୍ଷିତ ବିନିଯୋଗ ପାଇଁ ଏମ୍.ସି.ଏଲ୍.ର ବିଭିନ୍ନ କ୍ଷେତ୍ରରେ ‘ଇ-ୱେଷ୍ଟ କଲେକ୍ସନ୍ କିଓସ୍କ’ ସ୍ଥାପନ କରାଯାଇଛି। ମୁଖ୍ୟାଳୟ ଏବଂ ପରିଚାଳନା କ୍ଷେତ୍ରର କର୍ମଚାରୀମାନେ ଉତ୍ସାହର ସହିତ ଏହି ଅଭିଯାନରେ ଭାଗ ନେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦାନ ଦେବା ସହ ପରିବେଶ ଅନୁକୂଳ ଅଭ୍ୟାସଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି।
ଅନୁପଯୁକ୍ତ ଇ-ବର୍ଜ୍ୟବସ୍ତୁ ନିଷ୍କାସନ ଦ୍ୱାରା ହେଉଥିବା ମୃତ୍ତିକା ଓ ଜଳ ପ୍ରଦୂଷଣ ଏବଂ ଏହା ଯୋଗୁଁ ମାନବ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ କର୍ମଚାରୀ ଓ ଆଖପାଖର ସ୍ଥାନୀୟ ସମୁଦାୟକୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।
ଏହି ଅଭିଯାନର କାର୍ଯ୍ୟକାରିତାର ପ୍ରଥମ ସପ୍ତାହରେ, ଏମ୍.ସି.ଏଲ୍. ଚିହ୍ନଟ ହୋଇଥିବା ୨୪୦ଟି ସ୍ଥାନ ମଧ୍ୟରୁ ୭୩ଟି ସ୍ଥାନକୁ ସଫା କରିସାରିଛି। ୧୦,୦୦,୦୦୦ ବର୍ଗଫୁଟର ଲକ୍ଷ୍ୟ ବିପରୀତରେ ବର୍ତ୍ତମାନ ସୁଦ୍ଧା ୩,୦୬,୬୬୩ ବର୍ଗଫୁଟ ଅଞ୍ଚଳ ସଫା କରାଯାଇସାରିଛି। ଏହାସହ ଏହି ଅଭିଯାନରେ ୬୦୦ ମେଟ୍ରିକ୍ ଟନ୍ ସ୍କ୍ରାପ୍ ନିଷ୍କାସନର ଲକ୍ଷ୍ୟ ରଖାଯାଇଥିବା ବେଳେ, ୩୫୦ଟି ‘HEMM’ ବ୍ୟାଟେରୀ ବିକ୍ରି/ନିଷ୍କାସନ କରାଯାଇ ରାଜସ୍ୱ ମଧ୍ୟ ଆଦାୟ କରାଯାଇଛି।
ବିଶେଷ ଅଭିଯାନ ୬ ମାଧ୍ୟମରେ, ଏମ୍.ସି.ଏଲ୍. କାର୍ଯ୍ୟସ୍ଥଳୀ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଦାୟିତ୍ୱବାନ ଇ-ବର୍ଜ୍ୟବସ୍ତୁ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ କରୁଛି, ଯାହା ଏକ ସ୍ୱଚ୍ଛ, ନିରନ୍ତର ଏବଂ ସମ୍ବଳ-କୁଶଳ ଭବିଷ୍ୟତର ଜାତୀୟ ଲକ୍ଷ୍ୟକୁ ସମର୍ଥନ କରୁଛି।