ବିଷମକଟକ କଲେଜରେ ଛାତ୍ର ଅସନ୍ତୋଷ ତୀବ୍ର

ଛାତ୍ର ସଂସଦ ପ୍ରତିନିଧି ଚୟନକୁ ନେଇ ବିବାଦ

ମୁନିଗୁଡ଼ା, ୧୩/୧୦ (ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକସ୍ଥିତ ମା’ ମାର୍କମା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ପ୍ରତିନିଧି ଚୟନକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହୋଇଛି। ଗତ ୧୦ ତାରିଖରେ ଅନୁଷ୍ଠିତ ପ୍ରତିନିଧି ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଏହାକୁ ବାତିଲ କରିବା ସହ ଗଣତାନ୍ତ୍ରିକ ପଦ୍ଧତିରେ ପୁନଃ ନିର୍ବାଚନ କରାଇବାକୁ ଦାବି କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିନିଧି ଚୟନ ପୂର୍ବରୁ କଲେଜର ନୋଟିସ ବୋର୍ଡରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇନଥିଲା। ସେହିପରି ଭୋଟର ତାଲିକା ପ୍ରସ୍ତୁତି ଓ ନାମାଙ୍କନ ପ୍ରକ୍ରିୟା ଅନୁସରଣ ନକରି ବିଭାଗୀୟ ପ୍ରତିନିଧି (ଡିଆର୍‌) ଚୟନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇନଥିବା ସହ ଖାଲି କାଗଜରେ ଛାତ୍ରଛାତ୍ରୀଙ୍କ ଦସ୍ତଖତ ନିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ, ଗତ ୩ ବର୍ଷ ଧରି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ଉତ୍ସବ ଆୟୋଜନ ହୋଇନଥିବା ଅଭିଯୋଗ କରି ଏ ବାବଦରେ ଥିବା ପାଣ୍ଠିର ବିନିଯୋଗ ନେଇ ଛାତ୍ରଛାତ୍ରୀ ହିସାବ ମାଗିଛନ୍ତି। ଏହି ପ୍ରସଙ୍ଗଗୁଡ଼ିକୁ ଚପାଇବା ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷ ମନମୁଖୀ ଭାବେ ପ୍ରତିନିଧି ଚୟନ କରିଥିବା ଛାତ୍ରଛାତ୍ରୀ ନିଜ ଦାବିପତ୍ରରେ ଦର୍ଶାଇଛନ୍ତି।

ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣ ଓ ସମାଧାନ ପାଇଁ ଅତିରିକ୍ତ ଏସ୍‌ପି, ବିଷମକଟକ ଏସ୍‌ଡିପିଓ, କଲେଜ ଅଧ୍ୟକ୍ଷ ଓ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ ଏହି ବୈଠକରୁ କୌଣସି ସମାଧାନର ବାଟ ବାହାରି ପାରିନଥିବାରୁ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଜାରି ରହିଛିIଛାତ୍ରଛାତ୍ରୀ ନିଜ ଦାବିରେ ଅଟଳ ରହିବା ସହ ଏ ସମ୍ପର୍କରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ରର ନକଲ ପଠାଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ କଲେଜର ମୁଖ୍ୟ ଫାଟକ ବନ୍ଦ କରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଏବେ ସମସ୍ତଙ୍କ ନଜର କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଦାବିର ସମାଧାନ ହେବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।