ରାଜ୍ୟ କ୍ୟାବିନେଟ୍‌ର ଐତିହାସିକ ନିଷ୍ପତିକୁ ବିଜେପିର ସ୍ୱାଗତ

ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ ଏକ ବଡ଼ମାଇଲ ଖୁଂଟ ସାବ୍ୟସ୍ତ ହେବ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ୧୪/୧୦: ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ପୂର୍ବ ସରକାର ସମୟରେ ମାତ୍ର କିଛି ମିନିଟ୍‌ରେ କ୍ୟାବିନେଟ୍ ବୈଠକ ସରିଯାଉଥିଲା । ମାତ୍ର ରାଜ୍ୟରେ ବିଜେପି ସରକାର ଆସିବା ପରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସୁଛି । ଏଥିରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଦୀର୍ଘ ସମୟ ଧରି ଆଲୋଚନା କରି ରାଜ୍ୟର ବିକାଶ ନିମନ୍ତେ ନିଷ୍ପତି ନେଉଛନ୍ତି, ଏହା ନିଶ୍ଚିନ୍ତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ କ୍ୟାବିନେଟ୍‌ରେ ଗତକାଲି ୧୬ଟି ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ପ୍ରସ୍ତାବ ପାରିତ ହୋଇଥିବାରୁ ଭାରତୀୟ ଜନତା ପାର୍ଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ତଥା ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଉଛି । ରାଜ୍ୟର ଛାତ୍ରଛାତ୍ରୀ, ଯୁବପିଢ଼ୀ, କୃଷକ, ମତ୍ସ୍ୟଜୀବୀ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନିଆଯାଇଥିବା ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗୁଣାତ୍ମକ ଶିକ୍ଷାରୁ ଯେପରି କେହି ବଂଚିତ ହେବେନାହିଁ ସେଥିପାଇଁ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ନିଆଯାଇଥିବା ଏହି ଐତିହାସିକ ନିଷ୍ପତିକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଉଛି । “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବକା ପ୍ରୟାସ” ମନ୍ତ୍ରରେ ଆଗେଇ ଚାଲିଥିବା ରାଜ୍ୟ ସରକାର ଓଡ଼ିଶାର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି । ବିଜେପି ସରକାର ସଦାସର୍ବଦା ଜନସାଧାରଣଙ୍କ ସେବା, ସାମାଜିକ ନ୍ୟାୟ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି କ୍ୟାବିନେଟ୍ ନିଷ୍ପତି ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ ଏକ ବଡ଼ମାଇଲ ଖୁଂଟ ସାବ୍ୟସ୍ତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍‌ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଅଭିନନ୍ଦନ ସଂକଳ୍ପ ପାରିତ ହୋଇଛି । ଶାସନ ମୁଖ୍ୟ (ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ) ଭାବେ ସଫଳତାର ସହ ୨୫ ବର୍ଷ ପୂରଣ କରିଥିବା ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନକଲ୍ୟାଣକାରୀ ନେତୃତ୍ୱକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍‌ରେ “ଅଭିନନ୍ଦନ ସଂକଳ୍ପ’ ପାରିତ ହୋଇଛି ।

ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ନିଷ୍ପତି ହୋଇଛି। ନିଶୁଳ୍କ ପାଠ୍ୟ ପୁସ୍ତକ ଯୋଗାଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ବହି ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ରାଜ୍ୟର ଚାଷୀ ଭାଇ ଭଉଣୀଙ୍କୁ ସମୟ ସୀମା ମଧ୍ୟରେ ସାର ଓ ବିହନ ଯୋଗାଇବା ଏବଂ ଏହାର ସୁପରିଚାଳନା ପାଇଁ ୧୩୬୦ କୋଟି ଟଙ୍କାର କର୍ପସ ପାଣ୍ଠି ମଞ୍ଜୁର କରାଯାଇଛି । ଏହା କୃଷି କ୍ଷେତ୍ରରେ ନୂତନ ବିପ୍ଳବ ଆଣିଦେବ । ରାଜ୍ୟର ୪.୨୦ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ମିଳିଛି । ଏହା ଯୁବପିଢ଼ିଙ୍କ ପାଇଁ ନୂତନ ରୋଜଗାର ଓ ଆତ୍ମନିର୍ଭରଶୀଳତାର ଦ୍ୱାର ଖୋଲିବ । ସହରାଚଂଳରେ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମର ଆଧୁନିକୀକରଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦକୁ ଅନୁମୋଦନ ଦିଆଯାଇଛି ।

ଶିକ୍ଷକ ସମାଜ ପାଇଁ “ପୂଜାଭେଟି’ ଦିଆଯାଇଛି । ମାଧ୍ୟମିକ ଶିକ୍ଷକଙ୍କ ପାଇଁ ନୂତନ ସେବା ନିୟମାବଳୀ ପ୍ରଣୟନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ରାଜ୍ୟ କ୍ୟାର୍ଡର ମାନ୍ୟତା ପ୍ରଦାନ କରାଯାଇଛି । ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ବହୁଦିନର ବରିଷ୍ଠତା ବିବାଦର ଶାଶ୍ୱତ ସମାଧାନ କରାଯାଇ ଶିକ୍ଷକ ସମାଜକୁ ଏକ ଦଶହରା ପୂଜାଭେଟି ଦିଆଯାଇଛି । କଟକ ଠାରେ ମହାନଦୀ ରିଭର ଫ୍ରଂଟ୍‌ର ନବକଳେବର କରାଯାଇଛି । ଐତିହାସିକ କଟକ ସହରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନର ବିକାଶ ପାଇଁ ମହାନଦୀ ରିଭର ଫ୍ରଂଟକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ଯୋଜନାକୁ ଅନୁମୋଦନ ଦିଆଯାଇଛି ।

୧୭୭ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ଏକ ଡାଟାସେଂଟର ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଭବିଷ୍ୟତରେ ଏହାକୁ ଏକ ଜାତୀୟସ୍ତରର ସାଇବର ସାର୍ବଭୌମତ୍ୱ ଓ ଡିଜିଟାଲରେ ରେଜିଲିଏନ୍ସ ହବ୍‌ରେ ପରିଣତ କରିବାର ଅବକାଶ ବା ସୁଯୋଗ ରହିବ । ଫଳରେ ସାଇବର ଯୁଦ୍ଧ, ରାନସମୱାୟାର ଆକ୍ରମଣ କୃତ୍ରିମବୁଦ୍ଧିମତାର ଅପପ୍ରୟୋଗ, ଯୋଗାଣ ଶୃଙ୍ଖଳାରେ ଅଯଥା ବିଭ୍ରାଟ, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତିଭୂମି ଉପରେ ଆକ୍ରମଣ ଓ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଚୋରିକୁ ରୋକାଯାଇ ପାରିବ । ଏହି ନିଷ୍ପତି ନବସୃଜନ ଓ ନିଯୁକ୍ତିକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ରାଜ୍ୟର ଡିଜିଟାଲ ଇକୋସିଷ୍ଟମ ଉପରେ ନିବେଶକଙ୍କ ଆସ୍ଥା ଆଣିପାରିବ । ରାଜ୍ୟର ଭୌତିକ ଓ ସାମାଜିକ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅନୁମୋଦିତ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ଜନକଲ୍ୟାଣକାରୀ ପ୍ରସ୍ତାବ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।