ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ସୋଆର ବଡ଼ ସଫଳତା
ଭୁବନେଶ୍ୱର, ୧୪/୧୦: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ ସ୍ଥାନିତ ହୋଇଛନ୍ତି ।
ଷ୍ଟାନଫୋର୍ଡର ଏହି ତାଲିକାରେ ଗବେଷକମାନଙ୍କୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି । ଗୋଟିଏ ହେଉଛି କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ (ସାମଗ୍ରିକ ଗବେଷଣା ଜୀବନର ପ୍ରଭାବ) ଏବଂ ଅନ୍ୟଟି ହେଉଛି ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ (ଗୋଟିଏ ବର୍ଷର ଗବେଷଣାତ୍ମକ ପ୍ରଭାବ) । ସୋଆର ୩୮ ଜଣ ଗବେଷକଙ୍କ ମଧ୍ୟରୁ ୩୫ ଜଣ ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ ତାଲିକାରେ ଏବଂ ୨୦ ଜଣ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ ତାଲିକାରେ ସ୍ଥାନ ପାଇଛନ୍ତି ।
ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟରେ ଗୋଟିଏ ବର୍ଷରେ ଗବେଷକଙ୍କର ପ୍ରକାଶନ (ସାଇଟେସନ୍) ଆଧାରିତ ପ୍ରଭାବକୁ ବିଚାର କରାଯାଉଥିବା ବେଳେ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟରେ ଦୀର୍ଘକାଳୀନ ଗବେଷଣା ଓ ବୈଜ୍ଞାନିକଙ୍କ ଅବଦାନକୁ ଗୁରୁତ୍ୱ ଦିଆଯାଇଥାଏ ।
ସୋଆର ବିଭିନ୍ନ ଅନୁଷ୍ଠାନରୁ ଏହି ସମ୍ମାନଜନକ ତାଲିକାରେ ସ୍ଥାନିତ ହୋଇଥିବା ଗବେଷକଙ୍କ ମଧ୍ୟରୁ ୨୭ ଜଣ ଇଞ୍ଜିନିୟରିଂ କ୍ଷେତ୍ରର ହୋଇଥିବା ବେଳେ ସେମାନେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଏଥି ସହ ଜଡ଼ିତ ବିଭିନ୍ନ ଗବେଷଣା ସଂସ୍ଥାରେ କାର୍ଯ୍ୟରତ । ସେହିପରି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ଏବଂ ବାୟୋଟେକ୍ନୋଲଜିରୁ ୮ ଜଣ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରୁ ୨ ଜଣ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ରୁ ଜଣେ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।
ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରମୁଖ ଗବେଷକଙ୍କ ମଧ୍ୟରେ ରହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍ର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ । ଉଭୟେ ପ୍ରଫେସର ମହାପାତ୍ର ଏବଂ ସ୍ୱର୍ଗତ ପ୍ରଫେସର ଦାଶ ସୋଆର କୁଳପତି ଭାବେ ଅତୀତରେ କାର୍ଯ୍ୟ ତୁଲାଇଛନ୍ତି ।
ଏହି ଗବେଷକମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଗବେଷକମାନଙ୍କ ନିମନ୍ତେ ଆହୁରି ଅଧିକ ସଫଳତା କାମନା କରିଛନ୍ତି ।
ଅନ୍ୟ ପ୍ରମୁଖ ଗବେଷକଙ୍କ ମଧ୍ୟରେ ନାନୋ ସାଇନ୍ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା, ବାୟୋଫ୍ୟୁଏଲ୍ସ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା, ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟୋଇ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏସ୍ପିଏସ୍ର ପ୍ରଫେସର ଗୌତମ ରଥ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କେନ୍ଦ୍ରୀୟ ଗବେଷଣାଗାରର ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ ଅନ୍ୟତମ ।
ଆଇଟିଇଆରରୁ ଏହି ତାଲିକାରେ ସ୍ଥାନ ପାଇଥିବା ଗବେଷକମାନେ ହେଲେ ପ୍ରଫେସର ଆର.ଏନ୍.ପି. ଚୌଧୁରୀ, ପ୍ରଫେସର ମନୋହର ମିଶ୍ର, ପ୍ରଫେସର ସତ୍ୟରଞ୍ଜନ ମିଶ୍ର, ପ୍ରଫେସର ରଶ୍ମି ଆଚାର୍ଯ୍ୟ, ପ୍ରଫେସର ତାପସ ରଞ୍ଜନ ରାଉତରାୟ, ପ୍ରଫେସର ବିନୋଦ କୁମାର ସାହୁ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ପି.ଜି.ଆର. ଆଚାରୀ, ଡକ୍ଟର ଲୋପାମୁଦ୍ରା ଆଚାର୍ଯ୍ୟ, ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି, ଡକ୍ଟର ଶେଖର ଚନ୍ଦ୍ର ରାୟ, ଡକ୍ଟର ଶୁଭଶ୍ରୀ ଚୌଧୁରୀ, ଡକ୍ଟର ସନ୍ତୋଷ କୁମାର ପରିଡ଼ା, ଡକ୍ଟର ରାହୁଲ ପ୍ରିୟଦର୍ଶୀ, ଡକ୍ଟର ଦେବାଶିଷ ପଣ୍ଡା, ଡକ୍ଟର ସୁଧାଂଶୁ ଶେଖର ହୋତା, ଡକ୍ଟର ରୂପା ବଇଠାଳୁ, ଡକ୍ଟର ସୁସଙ୍ଗିନୀ ନାୟକ, ଡକ୍ଟର ସୁଭଜିତ ପଣ୍ଡା, ଡକ୍ଟର ସୁଲଗ୍ନା ପଟ୍ଟନାୟକ, ଡକ୍ଟର ଦୀପ୍ତି ପ୍ରଭା ସାହୁ, ଡକ୍ଟର ଦେବବ୍ରତ ପ୍ରଧାନ ଏବଂ ଡକ୍ଟର ସୁରେଶ କୁମାର ପାତ୍ର ।
ଅନ୍ୟ ଗବେଷକଙ୍କ ମଧ୍ୟରେ ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ଆଡ୍ଜଙ୍କ୍ଟ ପ୍ରଫେସର ରମେଶ ଚନ୍ଦ୍ର ରାୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ପ୍ରଫେସର ଜ୍ଞାନରଞ୍ଜନ ରାଉତ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ପ୍ରଫେସର ଅମିତ କୁମାର ନାୟକ, ଡକ୍ଟର ବିନୀତ କୁମାର ରାୟ ଓ ଡକ୍ଟର ଜର୍ଜ କେରୀ ରାଉତ ଏବଂ ସେଂଟର ଫର ବାୟୋଟେକ୍ନୋଲୋଜିର ଡକ୍ଟର ସୁଯୋଗ୍ୟ କୁମାର ପଣ୍ଡା ଅନ୍ତର୍ଭୁକ୍ତ ।