ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୟଭୀତ ହୋଇପଡ଼ିଛି
ବିଜେପି ସରକାର: ବିଜେଡି

ନିର୍ବାଚନ ଚାଲିଥିବା ବେଳେ ଇପ୍ସିତାଙ୍କୁ ଅଟକ ରଖିଲେ ବିଜେପି ସରକାର

ପ୍ରଶାସନ ଓ ପୋଲିସ୍ ଏବିଭିପି ପାଇଁ ଲଢ଼େଇ କରୁଛନ୍ତି

ଭୁବନେଶ୍ୱର, ୧୫/୧୦: ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ସରକାରୀ କଳର ଅପବ୍ୟବହାର କରୁଛି ବିଜେପି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ବିଜେପି ସରକାର ଭୟଭୀତ ହୋଇ ଗିରଫ କରାଇଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଶ୍ରୀ ତୁମ୍ୱନାଥ ପଣ୍ଡା, ଅମି୍ରତା ମିଶ୍ର, ସୋଫିଆ ଆଲାମ୍, ସ୍ୱରାଜଲକ୍ଷ୍ମୀ ସାମଲ, ମଧୁସ୍ମିତା ପରିଡ଼ା ପ୍ରମୁଖ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ପ୍ରଶାସନ ଓ ପୋଲିସକୁ କାମରେ ଲଗାଇ ଦେଇଛି । ପରାଜୟକୁ ଆଶଙ୍କା କରି ଅସହିଷ୍ଣୁ ହୋଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଚକ୍ରାନ୍ତ କରି ଗିରଫ କରିଛି ବିଜେପି ସରକାର । ବିସିଜେଡି ପ୍ରତି ବିପୁଳ ସମର୍ଥନ ଯୋଗୁଁ ରାଜ୍ୟର ବହୁ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି, ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରୁ ନାହିଁ । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ବିଜେପି ସରକାରୀ କଳ ଓ ବଳ ଲଗାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରି ଛାତ୍ର ସଂସଦ ନିର୍ବାଚନ ହାତେଇବାକୁ ଚକ୍ରାନ୍ତ କରୁଛି ବିଜେପି । ଇପ୍ସିତା ସାହୁ ସେଥିରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ଗିରଫ କରାଯାଇଛି । ଅନେକ ସ୍ଥାନରେ ବିଜେପି ବିସିଜେଡି ପ୍ରାର୍ଥୀଙ୍କୁ ଅପହରଣ କରି ନେଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ।

ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ବିପୁଳ ସମର୍ଥନ ରହିଥିବାରୁ ଅନେକ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଭାପତିଙ୍କ ଉପସ୍ଥିତିକୁ ସହ୍ୟ କରିପାରୁନି ବିଜେପି । ନିର୍ବାଚନରେ ବିଜେପି ନେତା ମାନେ ହସ୍ତକ୍ଷେପ କରୁଥିବା ବେଳେ ପୋଲିସ ପ୍ରଶାସନ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଇପ୍ସିତା ସାହୁଙ୍କୁ ଗିରଫ କରିବା ହୀନମନ୍ୟତାର ପରିଚୟ । ବିଜେପି ସରକାରଙ୍କ କର୍ପୋରେଟର ମାନେ କଲେଜ କ୍ୟାମ୍ପସରେ ରହୁଥିବା ବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ । ବିଜେପି ସରକାର ଭୀରୁତାର ପରିଚୟ ଦେଉଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଗଣତାନ୍ତ୍ରିକ ଉପାୟରେ ବିଜୟ ହାସଲ ପାଇଁ ବିଜେପି ଲାଗି ପଡ଼ିଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ବିଜେପି ସରକାର ସବୁ ସୀମା ଅତିକ୍ରମ କରିଛନ୍ତି । ଯାହାକୁ ଇପ୍ସିତା ସାହୁ ଲୋକ ଲୋଚନକୁ ଆଣିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁଙ୍କୁ ମଧ୍ୟ ପୋଲିସ ପ୍ରଶାସନ ଅଟକାଇବାକୁ ପ୍ରୟାସ କରିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ସରକାରଙ୍କୁ ଘାରିଛି ପରାଜୟର ଭୟ । ଆଗାମୀ ଦିନରେ ରାଜ୍ୟର ଛାତ୍ର ସମାଜ ସରକାରଙ୍କୁ ଉଚିତ୍ ଜବାବ ଦେବେ ।