ହର୍ମୁଜରେ ଭାସୁଛି ହଜାର ହଜାର ଆଇଫୋନ

ମହଙ୍ଗା ପର୍ଫ୍ୟୁମ ନେବାକୁ ମତ୍ସ୍ୟଜୀବୀଙ୍କ ଭିଡ଼

ଦୁବାଇ, ୧୫/୧୦: ପଶ୍ଚିମ ଏସିଆର ଅତି ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ପ୍ରଣାଳୀରେ ଏକ ମାଲବାହୀ କାର୍ଗୋ ଜାହାଜ ସାମୁଦ୍ରିକ ମାଇନ୍ସ ସହ ଧକ୍କା ହୋଇ ବୁଡିଯିବା ପରେ, ସମୁଦ୍ର ଜଳରେ ହଜାର ହଜାର ଆଇଫୋନ୍ ଏବଂ ମହଙ୍ଗା ବିଳାସପୂର୍ଣ୍ଣ ପର୍ଫୁମ୍ ବଟଲ୍ ଭାସୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ୨୫୦୦ରୁ ଅଧିକ କଣ୍ଟେନର ବହନ କରୁଥିବା ‘ଜିଏଫ୍‌ଏସ୍ ପ୍ରାଇଡ୍’ ନାମକ ଏକ କାର୍ଗୋ ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ସାମୁଦ୍ରିକ ମାଇନ୍ସ ଧକ୍କାରେ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ପରେ ଜାହାଜଟିରେ ଭୀଷଣ ନିଆଁ ଲାଗିଯିବା ସହ ଏହା କ୍ରମଶଃ ବୁଡିବାକୁ ଲାଗିଥିଲା।

ଜାହାଜଟି କ୍ଷତିଗ୍ରସ୍ତ ହେବା ପରେ ସେଥିରେ ଥିବା ହଜାର ହଜାର ଆଇଫୋନ୍ କଣ୍ଟେନର ଏବଂ ବିଦେଶୀ ପର୍ଫ୍ୟୁମ ବାକ୍ସଗୁଡ଼ିକ ଖସିପଡ଼ି ସମୁଦ୍ର ପାଣିରେ ଭାସିବାକୁ ଲାଗିଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଛୋଟ ନୌକାରେ ଥିବା ଲୋକମାନେ ପାଣିରୁ ଏହି ଦାମୀ ଜିନିଷଗୁଡ଼ିକୁ ସଂଗ୍ରହ କରିବା ପାଇଁ ହର୍ମୁଜ ସମୁଦ୍ରରେ ଭିଡ଼ ଜମାଇଛନ୍ତି।

ଏହି ବଡ଼ଧରଣର ଦୁର୍ଘଟଣା ସତ୍ତ୍ୱେ ଏକ ଆଶ୍ୱତିକର ଖବର ହେଉଛି ଯେ, ଜାହାଜରେ ଥିବା ସମସ୍ତ ୨୧ ଜଣ କ୍ରୁ-ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥିରେ କୌଣସି ଜୀବନହାନି ଘଟି ନାହିଁ।