ମା’ ହତ୍ୟାକାରୀ ପୁଅ ଗିରଫ; କ୍ରାଇମସିନ୍‌ ରିକ୍ରିଏସନ୍‌

୫୭ ଦିନ ପରେ ଝାଡ଼ଖଣ୍ଡରୁ ଗିରଫ

ପୁରୀ, ୨୦/୧୦: ମା’କୁ ହତ୍ୟା କରି ଭଡ଼ା ଘରର ରୋଷେଇ ଘରେ ପୋତି ଦେବା ଘଟଣାରେ ୫୭ ଦିନ ପରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଉଛି ୪୦ ବର୍ଷୀୟ ମଦନ ଗଜାନନ ଦଳେଇ। ଝାଡ଼ଖଣ୍ଡର ଜାମସେଦପୁର (ଟାଟାନଗର)ରେ ଏକ ଜଳଖିଆ ଦୋକାନରେ କାମ କରୁଥିବା ବେଳେ ତାକୁ ଗିରଫ କରାଯାଇଛି। ପୁରୀର କୁମ୍ଭାରପଡ଼ା ଥାନା ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ, ମୋବାଇଲ୍ ଫୋନ୍ ଟ୍ରାକିଂ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା। ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୨୪ ତାରିଖରେ ପୁରୀର ଏକ ଭଡ଼ା ଘରୁ ଦୁର୍ଗନ୍ଧ ବାହାରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଘରର ମାଲିକାଣୀ ମନୋରମା ସାହୁ ଘରର ଏକ କୋଠରି ବନ୍ଦ ଥିବା ଏବଂ ସେଠାରୁ ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ ହେବାରୁ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଏହି ସମୟରେ ରୋଷେଇ ଘରର ଚଟାଣର ଏକ ଅଂଶରେ ନୂଆ ସିମେଣ୍ଟ ପ୍ଲାଷ୍ଟର ହୋଇଥିବା ପୁଲିସ ଦେଖିବାକୁ ପାଇଥିଲା। ସନ୍ଦେହ ହେବାରୁ ଉକ୍ତ ସ୍ଥାନକୁ ଖୋଳାଯାଇଥିଲା। ଖୋଳିବା ପରେ ମାଟି ତଳେ ପୋତାଯାଇଥିବା ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳା ଜଣକ ହେଉଛନ୍ତି ଅଭିଯୁକ୍ତ ମଦନ ଦଳେଇଙ୍କ ମା’ ଅନ୍ନପୂର୍ଣ୍ଣା ଦଳେଇ।

ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ, ମଦନ ଓ ତାଙ୍କ ମା’ ଅନ୍ନପୂର୍ଣ୍ଣା ପ୍ରାୟ ୫ରୁ ୬ ମାସ ଧରି ଉକ୍ତ ଭଡ଼ା ଘରେ ରହୁଥିଲେ। ସେମାନେ ସକାଳେ ଘରୁ ବାହାରୁଥିବା ବେଳେ ସନ୍ଧ୍ୟାରେ ଫେରୁଥିଲେ। ଘରର ଅନ୍ୟ ଲୋକଙ୍କ ସହ ସେମାନଙ୍କର ବିଶେଷ ମିଳାମିଶା ନଥିଲା ବୋଲି ଘର ମାଲିକାଣୀ ପୁଲିସକୁ କହିଥିଲେ।

ଘଟଣାର ତଦନ୍ତ ପାଇଁ ପୁଲିସ ଭଡ଼ା ଘର ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍‌ରେ ମା’ ଓ ପୁଅ ସକାଳେ ଘରୁ ବାହାରି ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ବସୁଥିବା ଏବଂ ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବା ଦେଖାଯାଇଥିବା ପୁଲିସ କହିଛି। ସେମାନେ ମନ୍ଦିର ନିକଟରେ ଭିକ୍ଷା ମାଗୁଥିବା ସନ୍ଦେହ କରାଯାଉଛି।

ତଦନ୍ତ ସମୟରେ ପୁଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିଲା। ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତ ଅଗଷ୍ଟ ୨୧ ତାରିଖରେ ବାଲି ଓ ସିମେଣ୍ଟ ଆଣିଥିଲା। ପୁଲିସର ସନ୍ଦେହ ଅନୁସାରେ, ଅଗଷ୍ଟ ୨୦ ତାରିଖରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ହୋଇଥାଇପାରେ। ଏହା ପରେ ଅଭିଯୁକ୍ତ ମା’ର ମୃତଦେହକୁ ରୋଷେଇ ଘର ଚଟାଣ ତଳେ ପୋତି ଦେଇଥିଲା। ତେବେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ଏବଂ ଏହା ପଛରେ ପ୍ରକୃତ କାରଣ କ’ଣ, ସେ ନେଇ ଏବେ ତଦନ୍ତ କରାଯାଉଛି।

ତେବେ ମୃତଦେହ ମିଳିବା ପରଠାରୁ ଅଭିଯୁକ୍ତ ମଦନ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ପୁଲିସ ମୋବାଇଲ୍ ଫୋନ୍‌ର ଲୋକେସନ୍ ଓ କଲ୍ ରେକର୍ଡ ଯାଞ୍ଚ କରିଥିଲା। ଏହି ସମୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଯାଇ ମଦନର ଭାଇଙ୍କୁ ପଚରାଉଚରା କରାଯାଇଥିଲା। ସେଠାରୁ କିନ୍ତୁ କିଛି ସୁରାକ୍ ମିଳିନଥିଲା। ମଦନର ଭଉଣୀ କୋଲକାତାରେ ରହୁଥିବା ଜାଣିବା ପରେ ପୋଲିସ ସେଠାକୁ ଯାଇ ମଧ୍ୟ ପଚରାଉଚରା କରିଥିଲା। ମଦନର ଭଉଣୀ କହିଥିଲେ ଯେ, ତାଙ୍କ ମା’ ଅସୁସ୍ଥ ଥିବା ନେଇ ମଦନ ତାଙ୍କୁ ଜଣାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦେଇନଥିଲେ।

ପରେ ଅଧିକ ଖୋଳତାଡ଼ କରାଯାଇ ମଦନକୁ ଜାମସେଦପୁରରୁ ଗିରଫ କରାଯାଇଥିଲା। ତାକୁ ପୁରୀ ଅଣାଯାଇ ଆଜି କ୍ରାଇମ୍ ସିନ ରିକ୍ରିଏସନ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।