ମୁମ୍ବାଇରେ ପୁଣି ଫେରିଲା ଅଣ୍ଡରୱାର୍ଲ୍ଡର କଳାଛାୟା
୯୦ ଦଶକର ଭୟାନକ ସ୍ମୃତିକୁ ପୁଣି ତାଜା କଲା ଟାଇଗରଙ୍କ ଉପରେ ଆକ୍ରମଣ
ମୁମ୍ବାଇ, ୧୯/୧୦: ଗତ ଦୁଇ ଦଶକ ଧରି ଯେଉଁ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ବନ୍ଧୁକ ଚୁପ୍ ଥିଲା ଏବଂ ଯେଉଁ ଗ୍ୟାଙ୍ଗଗୁଡ଼ିକର ସାମ୍ରାଜ୍ୟ ଧୂଳିସାତ୍ ହୋଇଯାଇଥିଲା, ତାହା ପୁଣି ଥରେ ମୁଣ୍ଡ ଟେକିଥିବା ଆଶଙ୍କା ସୃଷ୍ଟି ହୋଇଛି। ବଲିଉଡ୍ର ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍କୁ ଟାର୍ଗେଟ କରି କରାଯାଇଥିବା ଗୁଳିମାଡ଼ ଘଟଣା ସମଗ୍ର ଚଳଚ୍ଚିତ୍ର ଜଗତରେ କଳାକାରଙ୍କ ମନରେ ଭୟ ସୃଷ୍ଟି କରିଛି। କିନ୍ତୁ ଏଥର ମୁମ୍ବାଇର ପୁରୁଣା ଡନ୍ମାନେ ନୁହେଁ, ବରଂ ଉତ୍ତର ଭାରତର କୁଖ୍ୟାତ ଗ୍ୟାଙ୍ଗଗୁଡ଼ିକ ସକ୍ରିୟ ହୋଇଉଠିଥିବା ଦେଖିବାକୁ ମିଳୁଛି।
ଘଟଣା କ’ଣ ଥିଲା?
ଗତ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ସ୍ପୋର୍ଟିଂ ଇଭେଣ୍ଟ ସାରି ଫେରୁଥିବା ସମୟରେ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍ ଉପରେ ତିନି ଜଣ ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିଥିଲେ। ସୌଭାଗ୍ୟବଶତଃ ଟାଇଗର ଶ୍ରଫ୍ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁଳିମାଡ଼ରେ ତାଙ୍କ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାସ୍ଥଳରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳିଯାଇଥିଲା। ଏହାର କିଛି ମିନିଟ୍ ପରେ କୁଖ୍ୟାତ ବିଷ୍ଣୋଇ ଗ୍ୟାଙ୍ଗର ଅନମୋଲ ବିଷ୍ଣୋଇ ଏବଂ ଅନ୍ୟ ସହଯୋଗୀମାନେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି।
୯୦ ଦଶକର ସେହି କଳାଦିନ ଏବଂ ବଲିଉଡ୍ର ଆତଙ୍କ
ଏହି ଘଟଣା ପୁଣି ଥରେ ୯୦ ଦଶକର ସେହି ଦିନଗୁଡ଼ିକୁ ମନେ ପକାଇ ଦେଇଛି, ଯେତେବେଳେ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଡନ୍ମାନେ ବଲିଉଡ୍ ଉପରେ ଏକଚାଟିଆ ରାଜ୍ କରୁଥିଲେ। ସେହି ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ଓ ଅଭିନେତାମାନେ ପ୍ରତିନିୟତ ଜୀବନରୁ ମାରିଦେବା ଧମକ ଏବଂ ବଟି ଆଦାୟର ଶିକାର ହେଉଥିଲେ।
– ମୁକେଶ ଦୁଗ୍ଗାଲ ହତ୍ୟାକାଣ୍ଡ (୧୯୯୭): ଫିଲ୍ମ ଫାଇନାନ୍ସକୁ ନେଇ ବିବାଦରୁ ପ୍ରଯୋଜକ ମୁକେଶ ଦୁଗ୍ଗାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
– ରାଜୀବ ରାୟଙ୍କୁ ଆକ୍ରମଣ (୧୯୯୭): ଫିଲ୍ମ ନିର୍ଦ୍ଦେଶକ ରାଜୀବ ରାୟଙ୍କୁ ଛୋଟା ଶକୀଲର ସୁଟର୍ମାନେ ଟାର୍ଗେଟ କରିଥିଲେ, କିନ୍ତୁ ସାଥୀ ପୋଲିସ କନଷ୍ଟେବଳଙ୍କ ସତର୍କତା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିଲା।
– ଗୁଲସନ କୁମାରଙ୍କ ହତ୍ୟା (୧୯୯୭): ଟି-ସିରିଜ୍ ପ୍ରତିଷ୍ଠାତା ଗୁଲସନ କୁମାରଙ୍କୁ ଭେରସୋବାଠାରେ ଦିନଦ୍ୱାପରରେ ଗୁଳି କରି ହତ୍ୟା କରାଯାଇଥିଲା।
* ରାକେଶ ରୋଷନଙ୍କ ଉପରେ ଆକ୍ରମଣ (୨୦୦୦): ‘କହୋ ନା… ପ୍ୟାର ହୈ’ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ରାକେଶ ରୋଷନଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରାଯାଇଥିଲା।
ସେହିପରି ଅଭିନେତା ଆମୀର ଖାନ୍ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଅପହରଣ କରିବାର ଯୋଜନା ମଧ୍ୟ ପୋଲିସ ପଣ୍ଡ କରିଥିଲା।
କିପରି ଅନ୍ତ ଘଟିଥିଲା ପୁରୁଣା ଗ୍ୟାଙ୍ଗଗୁଡ଼ିକର?
୯୦ ଦଶକରେ ଅଣ୍ଡରୱାର୍ଲ୍ଡର ଅତ୍ୟଧିକ ଚାପରେ ଅତିଷ୍ଠ ହୋଇ ବଲିଉଡ୍ର ଏକ ପ୍ରତିନିଧି ଦଳ ସେତେବେଳର ପୋଲିସ କମିଶନର ଏମ୍.ଏନ୍. ସିଂହଙ୍କୁ ଭେଟି ମୁମ୍ବାଇ ଛାଡ଼ି ହାଇଦ୍ରାବାଦ ଚାଲିଯିବାକୁ ଚେତାବନୀ ଦେଇଥିଲେ। ଏହାପରେ ସରକାର ଓ ପୋଲିସ ପ୍ରଶାସନ କଠିନ ପଦକ୍ଷେପ ଗ୍ରହଣ କରିଥିଲା।
ମୁମ୍ବାଇ ପୋଲିସର କଡ଼ା ‘ଏନକାଉଣ୍ଟର ପଲିସି’ ଏବଂ କଠୋର ଆଇନ MCOCA (ମହାରାଷ୍ଟ୍ର ନିୟନ୍ତ୍ରିତ ସଂଗଠିତ ଅପରାଧ ନିବାରଣ ଆଇନ) ବଳରେ ଅଣ୍ଡରୱାର୍ଲ୍ଡର ରାଜ ଖତମ ହୋଇଥିଲା। ଡାଉଦ ଇବ୍ରାହିମର ଗ୍ୟାଙ୍ଗ ବଟି ଆଦାୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା, ଅବୁ ସାଲେମ ପର୍ତ୍ତୁଗାଲରୁ ଗିରଫ ହୋଇଥିଲା ଏବଂ ଛୋଟା ରାଜନ ଇଣ୍ଡୋନେସିଆରୁ ଧରାପଡ଼ି ଆଜୀବନ ଜେଲଦଣ୍ଡ ଭୋଗୁଛି।
ସେଇ ଆତଙ୍କ, କିନ୍ତୁ ଅପରାଧୀ ଭିନ୍ନ
ପୁରୁଣା ଗ୍ୟାଙ୍ଗଷ୍ଟରମାନଙ୍କ ପତନ ପରେ ମୁମ୍ବାଇରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ଏବଂ ବର୍ଷ ବର୍ଷ ଧରି ବଲିଉଡ୍ ଶାନ୍ତିରେ ନିଶ୍ୱାସ ନେଉଥିଲା। କିନ୍ତୁ ୨୦୨୩ ମସିହାରୁ ପରିସ୍ଥିତି ପୁଣି ବଦଳିବାକୁ ଲାଗିଲା।
ଉତ୍ତର ଭାରତକୁ ଭିତ୍ତି କରି ଗଢ଼ିଉଠିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବେ ମୁମ୍ବାଇ ମନୋରଞ୍ଜନ ଜଗତକୁ ଟାର୍ଗେଟ କରିଛି। ପୂର୍ବରୁ ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରା ବାସଭବନ ବାହାରେ ଗୁଳିମାଡ଼ ଏବଂ ରାଜନେତା ବାବା ସିଦ୍ଦିକୀଙ୍କ ହତ୍ୟା ଏହାର ବଡ଼ ଉଦାହରଣ। ଏପରିକି ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସମେତ କିଛି ବଲିଉଡ୍ ବ୍ୟକ୍ତି ମଧ୍ୟ ଧମକପୂର୍ଣ୍ଣ କଲ୍ ପାଇଛନ୍ତି।
ଟାଇଗର ଶ୍ରଫ୍ଙ୍କ କାର୍ ଉପରେ ହୋଇଥିବା ଏହି ଆକ୍ରମଣ ସ୍ପଷ୍ଟ କରିଛି ଯେ ବଲିଉଡ୍ ପ୍ରତି ଅଣ୍ଡରୱାର୍ଲ୍ଡର ଭୟ ପୁଣିଥରେ ମୁଣ୍ଡ ଟେକିଛି। ଘଟଣାକୁ ଗମ୍ଭୀରତାର ସହ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତଥାପି, ଏଭଳି ଘଟଣା ସାଧାରଣ ଜନତା ଏବଂ ସେଲିବ୍ରିଟିଙ୍କ ମନରେ ପୁଣି ଆତଙ୍କ ଓ ଭୟ ସୃଷ୍ଟି କରିଛି।