ମୁମ୍ବାଇ, ୧୯/୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରକୁ ହୋଇଛି ଗୁଳିମାଡ। ଏହି ଆକ୍ରମଣରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଡ଼୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ସୁଟରଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସର ସୂଚନା ଆଧାରରେ ରାଜସ୍ଥାନର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଏବଂ କୋଟା ପୋଲିସର ମିଳିତ ଟିମ୍ ରାଜସ୍ଥାନର କୋଟାରୁ ସେମାନଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କ ସୁରାକ୍ ମିଳିବା ପରେ ପୋଲିସ ସେମାନଙ୍କୁ ଧରିଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁସାରେ, ଗିରଫ ତିନି ଜଣଙ୍କ ମଧ୍ୟରେ ହରିୟାଣାର ଫୁଲ୍ ସିଂହ ଓ ରେହାନ୍ ଏବଂ ବିହାରର ହ୍ରିତିକ କୁମାର ରହିଛନ୍ତି। ଏହି ତିନି ଜଣଙ୍କର ଗୁଳିମାଡ଼ ଘଟଣାରେ କ’ଣ ଭୂମିକା ରହିଛି, ତାହା ଜାଣିବା ପାଇଁ ପୋଲିସ ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କର ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସମ୍ପର୍କ ଥିବା ନେଇ ମଧ୍ୟ ସୂଚନା ମିଳିଛି।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍ଙ୍କ କାର୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରାଯାଇଥିଲା। ମୋଟରସାଇକେଲ୍ରେ ଆସିଥିବା ଦୁର୍ବୃତ୍ତମାନେ ଅଭିନେତାଙ୍କ କାର୍ ଉପରକୁ ଗୁଳି ଚଳାଇ ଫେରାର ମାରିଥିଲେ। ସେ ଫୁଟବଲ ଖେଳି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଟାଇଗରଙ୍କ ଡ୍ରାଇଭର ଆହତ ହୋଇଥିବା ବେଳେ ଅଭିନେତା କିନ୍ତୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ତାଙ୍କ ଛାତି ଓ ହାତରେ ଗୁଳିର ଗୋଳାବାରୁଦ ନିଆଁ ଯୋଗୁଁ ସାମାନ୍ୟ ଆଘାତ ଲାଗିଛି।
ଏହା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ରାତିରେ ଟାଇଗରଙ୍କ ବାସଭବନରେ ପହଞ୍ଚି ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଏବଂ ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି।
ଟାଇଗର ଶ୍ରଫ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ତୀବ୍ର ନିନ୍ଦା କରିଛି। ମୁମ୍ବାଇରେ ବଲିଉଡ୍ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କ ସୁରକ୍ଷାକୁ ନେଇ ସଂଘ ଚିନ୍ତା ପ୍ରକାଶ କରିଛି। ସଂଘର କହିବା ଅନୁସାରେ, ଏଭଳି ଘଟଣା କେବଳ ଜଣେ ଅଭିନେତାଙ୍କ ସୁରକ୍ଷାର ପ୍ରଶ୍ନ ନୁହେଁ, ବରଂ ସମଗ୍ର ଚଳଚ୍ଚିତ୍ର ଜଗତ ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସହ ଜଡ଼ିତ।
AICWA ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଏହି ଘଟଣାରେ କଠୋର ପଦକ୍ଷେପ ନେବାକୁ ଦାବି କରିଛି। ସଂଘ କହିଛି, ଅପରାଧୀଙ୍କ ଧମକ ଏବଂ ଆକ୍ରମଣ ଯୋଗୁଁ ଚଳଚ୍ଚିତ୍ର ଜଗତରେ ଭୟର ବାତାବରଣ ସୃଷ୍ଟି ହେଉଛି। କେବଳ ଆଶ୍ୱାସନା ଦେଲେ ହେବ ନାହିଁ, ବରଂ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ସହ କଳାକାରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସଂଘ କହିଛି।